ମନ ଆକାଶର ଚନ୍ଦ୍ର
ମନ ଆକାଶର ଚନ୍ଦ୍ର
ମୋ ମନ ଆକାଶ ଚନ୍ଦ୍ର ଥିଲ ତୁମେ
ସକାଳରେ ଚାଲିଗଲ
ଦୁଃଖର ଅନ୍ଧାର ହେଲା ହୃଦୟ
ମାଡ଼ି ଆସିଲା କରାଳ ।
ସୁଖ ସକାଳର ସୁରୁଜଟା ମୋର
ହୋଇଗଲା ବଡ଼ ଅରି
ତୁମକୁ ଛଡାଇ ନେଲା ମୋର ପାଶୁ
ଝରୁଛି ମୋ ନେତ୍ରୁ ବାରି ।
ଅପେକ୍ଷା କରି ମୁଁ ଚାହିଁଛି ରାତ୍ରକୁ
କିପରି ସରିବ ଦିନ
ଆତୁର ନୟନେ ଅନାଇଁ ରହିଚି
ଆସିବ ମୋ ପ୍ରିୟତମ ।
ମହ ମହ ହୋଇ ବାସ ଚନ୍ଦନ ରେ
ଅଗଣା ଉଠିବ ବାସି
ତୁମ ଆଗମନେ ମନର କଦମ୍ବ
ଗଛେ ଫୁଲ ଦେବ ହସି ।
ତୁମେ ଆସ ବୋଲି ପଦ୍ମ ସୁନ୍ଦରୀ ଯେ
ସହି ପାରୁନାହିଁ ମୋତେ
ତୁମକୁ କାଳେ ମୁଁ ତା କଥା କହିବି
ଶୋଇ ପଡୁଅଛି ରାତ୍ରେ ।
ତୁମରି ବିହୁନେ କାନ୍ଦେ ପ୍ରାଣ ପକ୍ଷୀ
ଆସ ଆସ ପ୍ରିୟ ତମ
ଚାହିଁ ବସିଛି ମୁଁ ଜାଗର ଜାଳିଣ
ଦେଖିବି ଚନ୍ଦ୍ର ବଦନ ।
ତୁମରି ଶୀତଳ ସ୍ପର୍ଶ ପାଇ ମୋର
ତନୁ ମନ ହେବ ଧନ୍ୟ
ମନ ଗହନରେ ସାଇତି ରଖିଛି
ଅକୁହା ବେଦନା ମାନ ।
ପାଶରେ ବସିଣ ଆନନ୍ଦ ମନରେ
କହିବି ଅକୁହା କଥା
କାହାରିକୁ କେବେ କହି ପାରୁନାହିଁ
ଅବ୍ୟକ୍ତ ମନର ଭାଷା ।
କଇଁର ବେଦନା ଚନ୍ଦ୍ର ଛଡ଼ା ଆଉ
କିଏସେ ପାରିବ ବୁଝି
ସ୍ନେହ ଶ୍ରଦ୍ଧା ଦେଇ ବାନ୍ଧି ରଖି ଅଛ
କେମିତି ପାରିବି ଶୁଝି ।
ଅନାବିଳ ସ୍ନେହ, ଅମାପ ମମତା
ଅସରନ୍ତି ଶ୍ରଦ୍ଧା ନେଇ
ରାତ୍ରୀ ଆଗମନେ ପ୍ରତୀକ୍ଷା କରିଛି
ତୁମକୁ ଦେଖିବା ପାଇଁ ।
କାହାପାଇଁ ରାତ୍ରି ଅନ୍ଧାର ରହିଲେ
ମୋ ପାଇଁ ଉଜ୍ବଳମୟ
ତୁମ ପାଦପଡ଼ି ମୋ ହୃଦ ମନ୍ଦିର
ହୋଇ ଯିବ ମଧୁମୟ ।