ମମତା
ମମତା
ମମତାର ମୂଲ କିଏ ବା ଜାଣିବ
ଏତ ଅନୁଭବ ଅକୁହା କଥା
ଟିକିଏ ମମତା ସ୍ନେହର ପରଶେ
ଲିଭାଇ ଦିଏ ଯେ ଚରମ ବ୍ୟଥା ।
ମମତା ମଧୁକୁ ହୃଦୟରେ ନେଇ
ସ୍ନେହର ପରଶ ପରଶି ଯିବା
ନିଃଶବ୍ଦ ଭାଷାରେ ହୃଦୟ ଛୁଇଁବା
ପ୍ରତି ହୃଦୟରେ ଘର କରିବା ।
ଶବ୍ଦ ହୀନ ସେଇ ଅମୂଲ୍ୟ ସମ୍ପତ୍ତି
ହୃଦୟରେ ତାର ସୁନ୍ଦର ଘର
ଟଙ୍କା ପଇସାରେ କିଣା ବିକା ନୁହେଁ
ଏଇ ଜୀବନର ମୂଳ ଆଧାର ।
ମମତା ବାଣ୍ଟିଲେ ଖାଲି ହୁଏ ନାହିଁ
ସନ୍ତୋଷେ ଭରଇ ହୃଦ ଇଲାକା
ଅମୂଲ ମୂଲ ଏ ତିନୋଟି ଅକ୍ଷର
ଜାଳେ ଜୀବନରେ ନୂଆ ବର୍ତ୍ତିକା ।
ମମତା ମଧୁର ଭଣ୍ଡାର ତୋ ପାଖେ
ତାଲା ଖୋଲି ଥରେ ଦେଖି ତ ନେଏ
ସେ ମଧୁ ରେ ଅଛି ଏମିତିକା ଗୁଣ
ସମସ୍ତ ଦୁଃଖକୁ ଭୁଲାଇ ଦିଏ ।
ଅପରିପ୍ରକାଶ୍ୟ ଯେ ତାର ପରିଭାଷା
ମଧୁର ତାହାର ନିବିଡ଼ ଛୁଆଁ
ମମତାର ଧାରା ଆଖିରୁ ଝରିଲେ
ନିଃଶବ୍ଦ ଭାଷା ଯେ କରେ କିମିଆଁ ।
ମମତା ସ୍ରୋତରେ ଅନିତ୍ୟ ଦର୍ଶନ
ଚେତନାକୁ ଦିଶା ଦେଖାଇ ଦିଏ
ଜୀବନ ଯମୁନା ମମତା ବିହୁନେ
ସୂକ୍ଷ୍ମ ମରୁଭୂମି ପାଲଟି ଯାଏ ।
ମମତା ଜଡିତ କଥାରେ କଥାରେ
ମଧୁର ବାରତା ହୃଦୟ ଛୁଏଁ
ଭାଷାରେ, ଦିଶାରେ, ସ୍ପର୍ଶ ଦର୍ଶନରେ
ଅନ୍ତରାତ୍ମା କୁ ଯେ ଶାନ୍ତ କରାଏ ।
ହୃଦ ସାଗରରୁ ମମତା ର ମୋତି
ସାଉଁଟି ଆଣିବା ସଭିଏଁ ମିଳି
ସେ ମୋତିକୁ ବାଣ୍ଟି ଖୁସୀ ସାଉଁଟିବା
ଯେତେ ଦୁଃଖ ଥିବ ଯିବାରେ ଭୁଲି ।
