ମଲା ମନ ଅଧୁରା ସପନ
ସଞ୍ଜ ନଇଁ ନଇଁ ଆସୁଥିଲା ବେଳେ
ବସିଥିଲି ଅଗଣାରେ
ଉଡି ଯାଉଥିଲା ସୁନ୍ଦର ବିମାନ
ଦେଖିଲି ମୁଁ ଆକାଶରେ ।
ଆଖିରୁ ଝରିଲା ଝର ଝର ଲୁହ
ଛାତିରେ ଭରିଲା କୋହ
ମୋ ଗାଁ ଆକାଶେ ତୁମେ ବାର ବାର
ଯାଇଥିବତ ନିଶ୍ଚୟ ।
ତୁମେ ଭୁଲିଲଣି କେବେଠାରୁ ମୋତେ
ମୁଁ ତୁମକୁ ନିତି ଝୁରେ
ସଞ୍ଜ ନଇଁ ନଇଁ ଆସୁଥିଲା ବେଳେ
ବସିଥିଲି ଅଗଣାରେ - - - -
ତୁମ ନିକଟରେ ବସିଥିବେ ନିଶ୍ଚେ
ବିରଳ ରାଜ କୁମାର
ତାଙ୍କ ସାଥେ ବୁଲି ଅଜନ୍ତା ଏଲୋରା
ଫେରୁଥିବା ତୁମେ ଘର ।
ବାଙ୍କୀ ବରୁଣେଇ ଅଟ୍ରି ଉଗ୍ରତାରା
ରହିଗଲା ସପନରେ
ସଞ୍ଜ ନଇଁ ନଇଁ ଆସୁଥିଲା ବେଳେ
ବସିଥିଲି ଅଗଣାରେ - - - -
ସିଦ୍ଧେଶ୍ବର ତ୍ରିପାଠୀ