ମିଠାକଥା
ମିଠାକଥା
ହୁତୁ ହୁତୁ ହୋଇ ଜଳୁଛି ରୁଇ
ବର୍ଷ ବର୍ଷର ଚଳଚଞ୍ଚଳ ଦିନ ସବୁ
ଆଜି ଇତିହାସ,
ମୁଠାଏ ପାଉଁଶ ।
କିମ୍ପା ଏ କୁମ୍ଭୀର କାନ୍ଦଣା?
ଦର୍ଶକ ସାଜି ମୋ ଚିତାର ଚାରିପାଖେ?
ଆଶା ତ ନଥିଲା କେବେ ପାର୍ଥିବ ସମ୍ପତ୍ତି,
ମିଠାକଥା ପଦେଲାଗି ଥିଲି ମୁଁ ଆଶାୟୀ ।
ପଦେ ପଦକେ ଖୁଣ୍ଟା ଦେଇ
କଥା କଥାରେ ଖିଅ କାଢି
କ’ଣ ବା ପାଇଲ ଯେ?
ଭୁଲିଗଲ ସେ ଦିନର
ଅଗ୍ନିକୁ ସାକ୍ଷୀ ରଖି
କରିଥିବା ସମସ୍ତ ଶପଥ,
ଆଉ ମୁଁ ଭୁଲିଯାଉଥିଲି
ମୋ ପିଲାବେଳ,ବାପଘର
ସାଙ୍ଗସାଥୀ, ଶେଷରେ ନିଜକୁ ।
କିଏ ମୁଁ?
କାହିଁକି ମୋ ଜନ୍ମ??
ଜୀବନ ତ ପାରିଲାନି ଦେଇ
ଭାବିଲି,
ମରଣ ଦେବ ମୋ ଉତ୍ତର ।
ତୁମ କୋପାନଳ
ଭରିଛି ମୁଠା ମୁଠା ନାଲିରଙ୍ଗ
ମୋର ଏ ଶିଥିଳ ଅଙ୍ଗରେ
ହେଲେ ଫିକା ତ ପଡିନି
ରଙ୍ଗ ତୁମ,
ମୋ ଚିତାଧାସରେ !
କଲ ଏତେ ବାଟଖର୍ଚ୍ଚ
ସ୍ବର୍ଗଦ୍ବାର ଯାତ୍ରାରେ ମୋର,
ମିଠାକଥା ରେ କି ଥିଲା
ତା’ ଠାରୁ ଅଧିକ?