STORYMIRROR

Krushna Chandra Lenka

Drama Inspirational Others

3  

Krushna Chandra Lenka

Drama Inspirational Others

ମିଛ ମାୟାର ସଂସାର

ମିଛ ମାୟାର ସଂସାର

1 min
526

​​​​ମିଛ ମାୟା ଭରା ଏସାରା ସଂସାର

   କେ ନୁହଁଇ ଏଠି କାର,

ଆଜି ଯେ ଧନୀକ କାଲି ସେ ଫକୀର

   ଏତ ବିଧାନ ବିଧିର।

ତୁଚ୍ଛା ଧନ ପାଇଁ ଧାଉଁ ତୁହି କାହିଁ

   ଦିନ ରାତି ଏକ କରି,

ସାଥେ ସେହି ଧନ ନେବୁ କି ତୁ ଧନ

   ସଂସାରୁ ଗଲେ କି ତରି।

ମୋର ବୋଲି ଭାଳି ଯା ପାଇଁ ତୋ ଅଳି

    ସେ ମୋର ନୁହଁଇ ତୋର,

କହ ତେବେ ତୁହି  ସ୍ୱାର୍ଥେ ଧାଉଁ କାହିଁ

    ବିଚାରି ଆପଣା ପର।

ଅଭିନୟ ସାରି ସଂସାରୁ ତୁ ତରି

   ବାହୁଡ଼ିବୁ ଧନ ଯହିଁ,

ତୋର ପରିବାର ଅବା ଆପଣାର

   କେ ରଖିବେ ତିଳେ ତହିଁ।

ବାନ୍ଧି ତୋ କୋକେଇ ନେବେ ତତେ ବୋହି

    ରାମ ନାମ ଡାକେ ସିନା,

କେ ଜଣେ ସେକାଳେ ରଖିବେ କି ତିଳେ

    ଶେଷ ଦରଶନ ବିନା।

ବାସି ମଢା କହି ନେଇ ଯିବେ ବୋହି

   ତୋ ଘରୁ ଉଠାଇ ତତେ,

ସାହି ପରିଜନ  ଦେଇ ଶେଷ ମାନ

   ଧାଇଁବେ ସଅଳ ଯେତେ।

ଘରୁ ଦାଣ୍ଡ ଯାଏଁ ଯିବ ତୋର ପତ୍ନୀ

    ପୁତ୍ର ମୁଖାଗ୍ନି ସକାଶେ,

ଏ ସମାଜ ଯିବ ମଶାଣି ଯାଏଁ ଯେ

   କରମ ତୋ ସାଇଁ ପାଶେ।

ତୋ ଜୀବନ କାଳେ ଭଲ କର୍ମ ତିଳେ

    କରିଥିବୁ ଯଦି ଧନ,

ନିତି ହେବେ ଭାଳି  ତୋ କଥା ସୁମରି

    ଦେଇଣ ପରାଣ ମନ।

ଭଲ କର୍ମ ବିନା  ତୋ ଜୀବନ ବାନା

    ଉଡିବ କି ଏ ଭୁବନେ,

ତୋର ପାଶେ ଯଦି ଥିବ ଭଲ ବୁଦ୍ଧି

   ଭୁଲିବେ କି ତୋ ନାଁ ଜନେ?

ତୋ ଭଲ କରମ ହେବ ଯେ ଧରମ

   ଯୁଗେ ଯୁଗେ ତୋର ପାଇଁ,

ତା ବିନା ଜୀବନ ଥାଇ କିସ ଧନ

   ଏଭବ ସାଗରେ ରହି?

ଖୋଲି ମାୟା ପଟି  ଲୋଚନୁ ତୋହର

    କରୁଥା କରମ ଧନ,

ମାୟା ଜାଲେ ଯଦି ହେବୁ ଧନ ବାନ୍ଧି

   ନିଶ୍ଚେ ହେବୁ ଏଠି ଲୀନ।

ଭେଦଭାବ ହିଂସା ଅତି ଲୋଭ ଆଶା

   ଏ ଅଟେ ବଇରି ତୋର,

ତା ସାଥେ ଯେବେ ତୁ  ଲଗାଇବୁ ଭାବ

   ପାଇବୁ ତୁ ଫଳ ତାର।

ଏବିଶ୍ୱ ଭୁବନେ ଥିବୁ ଯେତେ ଦିନେ

   ସବୁରି ମଙ୍ଗଳ ଚାହିଁ,

କରି ତୁ କରମ  ଅରଜି ଧରମ

   ଥିବୁ କାଳ କାଳ ପାଇଁ।

ପାର୍ଥିବ ଶରୀର ଛାଡି ତତେ ଦୂର

   ଯିବ ସିନା କେଉଁ ପଥେ,

ସଦା ତୋର ଯଶ  ଥିବ ଚଉପାଶ

  କରିଣ ଅମର ତତେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama