ମିଛ ମାୟାଜାଲରେବନ୍ଦୀ ଅଳିକଜୀବନ
ମିଛ ମାୟାଜାଲରେବନ୍ଦୀ ଅଳିକଜୀବନ
ଜାଳିଦେଲି ମୁହିଁ ପ୍ରଦୀପ ଆଲୋକ
ତମସା ବିନାଶ ପାଇଁ
ଜ୍ୟୋତିର ପ୍ରକାଶେ ଆକର୍ଷିତ ହୋଇ
ପତଙ୍ଗ ପଡ଼ିଲେ ଧାଇଁ ||
ଜୀବନ ନଉକା ନେଇ ବାହାରିଲି
ଭବ ସାଗରର ଜଳେ
ଦେଖିଲି ଆକାଶେ ଉଡି ଯାଉଛନ୍ତି
ହଂସ ହଂସରାଳୀ ଦଳେ||
ରବିକରେ ପର ଝଲସି ମୋହିଲା
ମନ ପ୍ରଜାପତି ମୋର
ସୁଖସ୍ବପ୍ନ ମନେ ଉଠିଲା ପଡିଲା
ଯେହ୍ନେ ଶିଖା ପ୍ରଦୀପର||
ଶୀତଳ ପବନ ବହିଣ ସତେକି
ପିଠି ଥାପୁଡାଇ ମୋର
ଚମକାଇ ଦେଲା ଛାତିକୁ ଥରାଇ
ସୃଷ୍ଟି କଲା ଭାବାନ୍ତର ||
ତଲେଇ ଟେକିଣ ପୋତପାଳ ଭ୍ରମେ
ଅତଳ ସାଗର ଜଳେ
ତରଙ୍ଗ ଉପରେ ଦିଶି ଲିଭିଯାଇ
ପବନରେ ଦୋଳି ଖେଳେ ||
ମନ ପାରାବାରେ ଆଶାର ବୋଇତ
ଭାବନାର ଢେଉ ପରେ
ଆଶା ଜହ୍ନ ତାରା
ମେଘାଚ୍ଛନ୍ନାକାଶେ
ଲୁଚକାଳି ଖେଳ କରେ ||
ଦୂରରେ ଦିଶଇ ମୋ ପ୍ରେମ ପ୍ରଦୀପ
ଦୀଗ୍ ବଳୟ ଅନ୍ତରାଳେ
ସ୍ତିମିତ ପ୍ରଦୀପ ଶିଖାଟିଏ ପରି
ପଡି ଉଠେ ପ୍ରେମ ଭୋଳେ ||
ମନ ବୋଇତର ପ୍ରୀତି ତଲେଇକୁ
ଉପରକୁ ଟେକିଦେଇ
ଦ୍ରୁତ ବେଗେ ଚଳି ପଚାରି ବୁଝିଲି
ତାହା ନିକଟକୁ ଯାଇ||
ମୋ ଆଖିରେ ତାର ଆଖିକୁ ମିଶାଇ
ଛାତିରେ ମିଶାଇ ଛାତି
କହିଲା ଅଳିକ ଅଟେ ଜୀବନର
ଯେତେ ମଧୁ ଅନୁଭୂତି ||
ଜୀବନ ଅଳିକ ସମ୍ପର୍କ ଅଳିକ
ଅଳିକ ପ୍ରୀତି ଅନୁଭୂତି
ମିଛ ମାୟାଜାଲେ ଛନ୍ଦି ହୁଏ ନର
ଦେଖି ରଙ୍ଗ ପ୍ରଜାପତି ||