ମିଛ ହେଉ ପଛେ ସପନ ମୋର
ମିଛ ହେଉ ପଛେ ସପନ ମୋର
ମିଛ ହେଉ ପଛେ ସପନ ମୋହର
ସପନେ ଭିଜୁ ଏ ଆଖି
ଏଇ ହାତ ସଦା ଅନ୍ୟ ହାତ ଧରି
ସହଯୋଗ ଥାଉ ବାଣ୍ଟି ।
ମିଛ ହେଉ ପଛେ ସପନ ମୋର
ଶିଶୁ ମେଳେ ହସୁ ଥାଏ
ମିଠା କଥାରେ ଓ ଅଛିଣ୍ଡା ପ୍ରଶ୍ନର
ଉତ୍ତର ମୁଁ ଦେଉ ଥାଏ ।
ମିଛ ହେଉ ପଛେ ସପନ ମୋହର
ଏମିତି ବଗିଚା ରଚେ
ହସୁ ଥାଉ ସେଇ ବଗିଚା ମୋହର
ଶିଶୁଙ୍କର ମିଠା ହସେ ।
ମିଛ ହେଉ ପଛେ ସପନ ମୋହର
ସପନେ ତୁମକୁ ପାଏ
କୋଳରେ ଶୁଆଇ ନାନାବାୟା ଗୀତେ
ତୁମକୁ ଶୁଆଉ ଥାଏ ।
ମିଛ ହେଉ ପଛେ ସପନ ମୋହର
ସ୍ବପ୍ନେ ଶୁଣେ ବଂଶୀ ସ୍ଵନ
ସେଇ ସ୍ଵନେ ହଜି ଅନୁଭବେ ମଜ୍ଜି
ହୋଇଯାଏ ମୁହିଁ ଧନ୍ୟ ।
ମିଛ ହେଉ ପଛେ ସପନ ମୋହର
ଶୁଣେ ତୁମ ପାଦ ଶବ୍ଦ
ନିଦରୁ ଉଠି ମୁଁ କବାଟ ଖୋଲନ୍ତି
ପାଇବାକୁ ତୁମ ଭେଟ ।
ମିଛ ହେଉ ପଛେ ସପନ ମୋହର
ଆଶା ଆଲୋକ ବାଣ୍ଟନ୍ତି
ଅସହାୟ ପ୍ରାଣେ ଭରସା ଦେଇ ମୁଁ
ହୃଦୟେ ଘର କରନ୍ତି ।
ମିଛ ହେଉ ପଛେ ସପନ ମୋହର
ପ୍ରେମମୟୀ ହୋଇ ଥାନ୍ତି
ପ୍ରେମ ବାଣ୍ଟି ବାଣ୍ଟି ପ୍ରତିଟି ଓଠରେ
ହସ ମୁଁ ଫୁଟାଉ ଥାନ୍ତି ।
ମିଛ ହେଉ ପଛେ ସପନ ମୋହର
ଏମିତି ସପନ ଦିଅ
ଯେଉଁ ସପନର ଛାପ ମୋ ଅନ୍ତରେ
ଉଦ୍ବେଳନ ଭରୁ ଥିବ ।
ମିଛ ହେଉ ପଛେ ସପନ ମୋହର
ଏମିତି ସହରେ ନିଅ
ଯେଉଁ ସହରରେ ସ୍ନେହ ମମତାର
ଝରଣା ଯେ ଝରୁ ଥିବ ।
ମିଛ ହେଉ ପଛେ ସପନ ମୋହର
ଏମିତି ପୃଥିବୀ ଦିଅ
ଯେଉଁ ପୃଥବୀରେ ମାନବିକତାର
ମନ୍ତ୍ର ଶୁଣା ଯାଉଥିବ ।
ମିଛ ହେଉ ପଛେ ସପନ ମୋହର
ଧରାରେ ସରଗ ହେଉ
ଏ ମାଟିରେ ଦେଖେ ବଇକୁଣ୍ଠ ପୁଣି
ଏ ଆଖି ପବିତ୍ର ହେଉ ।
ମିଛ ସତ କଥା ଭାବୁନି ପ୍ରଭୁ ମୁଁ
ମୋ ସ୍ଵପ୍ନ ସମର୍ପି ଦେଲି
ମିଛ କରିବ କି ସତ କରିବ ହେ
ଜାଣ ହେ ମୁରଲୀଧାରୀ ।