ମହାଶିବରାତ୍ରୀ
ମହାଶିବରାତ୍ରୀ
ସବୁ ଶୈବପୀଠ ଭିଡ଼ ପରା ଭାଇ
ମହାଶିବରାତ୍ରୀ ପାଇଁ
ଶିବଙ୍କୁ ଦେଖିଲେ ପବିତ୍ର ହୋଇବ
ଭକତଙ୍କ ନେତ୍ର ଦୁଇ ।
ଜାଗର ଭୋଅରୁ ଭକତ ଉଠିଣ
ନିତ୍ୟକର୍ମ ସାରି ସ୍ନାନ
ମାଳ ଗୁନ୍ଥନ୍ତି ସେ ଫୁଲ ବେଲପତ୍ରେ
ଶିବଠାରେ ରଖି ମନ ।
ସେଦିନ ସମ୍ପୂର୍ଣ୍ଣ ଉପବାସ ରହି
ଜଳ ଟୋପେବି ନପିଇ
ପସରା ସଜେଇ ଦିଅଁ ଦରଶନେ
ବାହାରନ୍ତି ଶୀଘ୍ର ସେଇ ।
ପିଲାଠାରୁ ବୁଢ଼ା ସଭିଏଁ ନିଜର
ରଖି ନିଜ ମାନସିକ
ଭକତଙ୍କ ଭିଡ଼େ ଠିଆହୋଇଥାନ୍ତି
ଦେଖିବାକୁ ପ୍ରଭୁ ରୂପ।
ବାପା ମାଆ ସଙ୍ଗେ ପିଲା ବାହାରନ୍ତି
ଖୁସିରେ ବୁଲିବା ପାଇଁ
ମନ୍ଦିର ପାଖରେ ଖେଳଣା ଦୋକାନ
ନାନାଦୋଳି ପଡ଼ିଥାଇ ।
ସଞ୍ଜ ହେବା କ୍ଷଣି ପ୍ରତି ଶୈବପୀଠେ
ଭକତ ଜାଳନ୍ତି ଦୀପ
ଓଁ ନମଃ ଶିବାୟ ଅନ୍ତରରେ ଡାକି
ଜଣାନ୍ତି ବ୍ୟାକୁଳେ ଦୁଃଖ ।
ଦେବ ଦେବ ପୁଣି ମହାଦେବ ସିଏ
ଶିବ ପରା ଅନ୍ତର୍ଯ୍ୟାମୀ
ଅନ୍ତର ବେଦନା ଜଣା ଶଙ୍କରଙ୍କୁ
ବର ଦେବେ ମନ ଜାଣି ।
ହୋମ କାର୍ଯ୍ୟ ତଥା ମହାଦୀପ ପାଇଁ
ଘିଅ କରି ସର୍ମପଣ
ଉଠିବା ଯାଏଁ ରେ ମହାଦୀପ ପରା
ବସିଥା'ନ୍ତି ଭକ୍ତଗଣ ।
କୀର୍ତ୍ତନ ସହିତ ବ୍ରାହ୍ମଣ ଦିଅଁଙ୍କୁ
ଗ୍ରାମ ପରିକ୍ରମା ସାରି
ମହାଦୀପ ପରା ଉଠାନ୍ତି ଧ୍ୟାନରେ
ବଡ଼ପଣ୍ଡା ଶିବ ସ୍ମରି ।
ବ୍ରାହ୍ମଣ ଗୋସେଇଁ ମନ୍ଦିର ଶୀର୍ଷକୁ
ଚଢ଼ି ମହାଦୀପ ଧରି
କହନ୍ତି ଠାକୁରେ ସକଳ ଦୁଃଖକୁ
ନିଅ ସଂସାରରୁ ହରି ।
ମହାଦୀପକୁରେ ଥାଆନ୍ତି ଅନେଇ
ଭକ୍ତ ଟେକି ଦୁଇ ହାତ
ମହାଦୀପ ପରେ ଭୋଗ ନେଇ ସର୍ବେ
ଘରକୁ ଯାଆନ୍ତି ଭକ୍ତ ।
