ମହା କାର୍ତ୍ତିକ
ମହା କାର୍ତ୍ତିକ
ପବିତ୍ର ପାବନ ଧରାରେ ଖେଳୁଛି
ସର୍ବ ମନ ପୁଲ୍କକିତ
ଜୀବ ଜନ୍ତୁ ହୃଦେ ଭାବନା ଜାଗଇ
ଅମରତା ହେବ ପ୍ରାପ୍ତ ।
ବିରାଡ଼ି ମାନସେ ଆପ୍ତକାମ ଆସେ
ଉଦ୍ଦୀଜୀବିତ ଭକ୍ତି ଭାବ
ଘୋର ଅନ୍ତର୍ଦାହ ଅସହ୍ୟ ବେଦନା
ମୀନ ପରା ଦୂରେ ଯିବ ।
ମହା ପୂଣ୍ୟ ମାସେ କାର୍ତ୍ତିକ ଯେ ହସେ
ପାଳନେ ଜୀବନ ଧନ୍ୟ
ଅନ୍ନଛତ୍ର ଦାନେ ଶ୍ରୀହରିଙ୍କ ଧ୍ୟାନେ
ମୁକତି ଲଭନ୍ତି ଜନେ ।
ଅତି ଆନନ୍ଦରେ ମତ୍ସ୍ୟ ନୃତ୍ୟ କରେ
ସ୍ପର୍ଶ ନକରିବେ ମୋତେ
ଅନ୍ତରାଳେ ବସି ବିରାଡ଼ି ଚିନ୍ତଇ
ଦୁଃଖାର୍ତ୍ତ କରାଉ ମୋତେ ।
ପୁଚ୍ଛକୁ ନଚାଇ ଜିହ୍ୱା ଲପତଇ
ଆଳାପୀ ପ୍ରାଣରେ ଆସେ
ମଧୁର ବଚନେ ବୋଲଇ ମାର୍ଜରା
ଆଜି ମୁଁ ବଉଳ ବସେ ।
ଅବିରତ ଚଳେ ନିବିଡ ବନ୍ଧୁତା
ଅତି ସନ୍ନିକଟ ମୀନ
କପଟୀ ବିରାଡ଼ି ମୁଖାଧାରୀ ପରି
ମିତ୍ରତାରେ ଦିଏ ଧ୍ୟାନ ।
ଆମିଷ ଅଭକ୍ତି ପ୍ରକାଶ କରି ସେ
ଅନୁତ୍ତମ ରଖେ ହୃଦେ
ଜଡ ପିଣ୍ଡ ସତେ ମାର୍ଜରା ନଚଳେ
ମାଉଁ ଶଦ୍ଦ ନାହିଁ ପଦେ ।
ମୀନର ବିଶ୍ଵାସ ସୁଦୃଢ ସବଳ
ଯେସନେ ପର୍ବତ ଗିରି
ସରପଟ ବୋଳି ଲହରି ମାରଇ
ଶୁଭ୍ର ପରିଧାନ ଧରି ।
ଯତିଭଙ୍ଗ କରି ବିରାଡ଼ି ଲମ୍ଫଇ
ଯେତେ ଶକ୍ତି ଅଙ୍ଗେ ଭରା ।
କାର୍ତ୍ତିକ ବରତ ଚୁଲିକୁ ଯାଉ ମୋ
ଆଜି ଛାଡଖାଇ ପରା ।
