STORYMIRROR

Debadatta Jena

Abstract Romance

4  

Debadatta Jena

Abstract Romance

ମେଘର ରଂଗ

ମେଘର ରଂଗ

2 mins
266

ମୌସୁମୀ, 

ତୁମେ ମେଘରାଣୀ, 

ତୁମେ ଋତୁରାଣୀ, 

ତୁମ ବିନୁ ଏ ଆକାଶରେ 

ମୋର ମେଘ ନାହିଁ..

ତୁମ ବିନୁ ଭାବନାରେ ମୋର 

ବର୍ଷା କାଇଁ..? 

ହଁ..! ଏବେ ଏବେ ତ 

ଶୀତଋତୁ ଆସିଛି, 

ତୁମ ପ୍ରିୟ ସହୋଦରୀ..

ଭାରି ଅଲିଅଳି ଅଳ୍ପ ଗେଲ୍ହେଇ 

ତୁମର ଟିକିଏ ଛୁଆଁରେ ଯିଏ 

ଲଥ କିନା ରୁସି ଯାଏ, 

ତୁମର ଟିକେ ଉଶ୍ବାସରେ, 

ଫିକ କିନା ହସି ଦିଏ, 

ସେଇ ମିଛେଇ ଶୀତ ମ..!

ତୁମ ଆସିବା କଥା ଶୁଣିଲେ, 

ସେ ଯେମିତି ଦୁମ ଦୁମ ହେଇ 

ଗୋଡ଼ କଚାଡି ଗୋଟା ପଣେ 

ଆଉଜି ପଡୁଥାଏ, କେଉଁ କଣରେ 

ସନ୍ତର୍ପଣରେ, ଅଭିଭୂତ ହୋଇ 

ଭୁସସ ଭୁସସ ହାଡ଼ ଥରେଇ ଦିଏ, 

ତା ପାଇଁ ତ ଚାରିଆଡେ ଖାଲି 

ବହଳ ବହଳ ଶୀତର ଲହର

ଗହଳ ଶୀତର ବହଳ ଆସ୍ତରଣ, 

ଏକବାରେ ସଲ୍ଲଜପଣ..!

ମେଘ ବଦଳରେ ଏବେ, 

ସେ ଲାଜେଇ ଶୀତର ଆସର.. 

ଆଉ ବର୍ଷା ବଦଳରେ 

ମିଛେଇ ଶୀତୁଆ କାକର..!

ତୁମେ କ'ଣ ଭାବୁଛ..? 

ସେ କଳା ଘୁମର,

ରିମଝିମ ବର୍ଷା ଓ ତାର 

ସବୁଜ ଆବେଗ, ଅସରା ଶ୍ରାବଣ, 

ସେ ନିଜରପଣ, ଆଉ ତୁମ ଦେହର

ସେ ଇନ୍ଦ୍ରଧନୁ ପରି ରଂଗ, 

ବାଦଲ ଉହାଡ଼ର କାଳି ମେଘି ଜହ୍ନ, 

ଉଆଁସ ରାତିର ଅସରନ୍ତି ସ୍ବପ୍ନ, 

ଝରି ପଡ଼ିବାର ସେ ସମ୍ମୋହନ, 

ମୋ ମନରେ ଅବା ଆସେ ନାହିଁ..? 

ତୁମେ ସତ ଭାବ କି ନ ଭାବ, 

ସେ କାକରରେ ସିନା ଦେହ ମୋ ଭିଜୁଛି, 

ସେ ଭିଜା ପଣରେ ସିନା ପୂର୍ଣ୍ଣ ଆକଣ୍ଠ ମୁଁ, 

ହେଲେ ମୋ ଏକାଗ୍ରତା, 

ମୋ ଭାବ ପ୍ରବଣତା, ବିଭୋର ପଣ, 

କିଂତୁ ମୋ ଦେହରେ ଯେ.. 

ଭିଜା ଭିଜା ବାସ୍ନା, ଭିଜା ଭିଜା ମୋହ.. 

ଆଉ ମୌସୁମୀର ଅସୁମାର ରଂଗ 

ଏବେ ବି ସତେଜ, ସଦା ପଲ୍ଲବିତ, 

ଏବେ ସେ ସତରେ ଅଛି କାହିଁ..? 

ଅବା ସେ ମଧୁର ସ୍ନିଗ୍ଧ ଶୀତଳତା                      

ଆଉ ସେ ତୁମର ମୁଗ୍ଧ ସମ୍ମୋହନ,  

ତମ ବିନୁ ମତେ ଛୁଁଏ ନାହିଁ..! 

ହଁ..! ଜାଣିଲିଣି ତୁମ ଭିଜା ବାସ୍ନାରେ 

ସିନା ଥିଲା ବିଭୋରତା ପଣ, 

ସେ ବିସ୍ମୃତ ମହକ,ମହକିତ ମଗ୍ନ, 

ଏବେ ସେ ମହକ ଯାଏ କାହିଁ..? 

ଆଉ ବି ଜାଣିଲି, 

ତୁମେ ସିନା ଥିଲ ନୀଳ ଆକାଶର,

ଆବର୍ତ୍ତକ ମେଘ, 

ତୁମ ବିନୁ, ସେ ମେଘର ଆକାଶ 

ମେଘର ଚଳନ, ଚିରନ୍ତନ ସ୍ରୋତ.. 

ମୋ ଦେହକୁ କାହିଁ ଛୁଉଁ ନାହିଁ..? 

ତମ ବିନୁ ଚାରି ଆଡେ ଖାଲି 

ଜଡ଼ ଆଉ ଜାଡ଼, ଜାଡର କହର.. 

ଜାଡର ଅସ୍ତିତ୍ୱ, ବିଜନତା ବୋଧ, 

କିଛି ଅବବୋଧ,କିଛି ବିବର୍ତ୍ତନ,

ପରିବର୍ତ୍ତନ ସ୍ୱର, ଶୀତ ଆସ୍ତରଣ.. 

ସେ ଶୀତରେ ତୁମ ଛୁଆଁ କାଇଁ..? 

ଅବା ମନୋରମ ମୟୁର ଚନ୍ଦ୍ରିକା 

କୃଷ୍ଣ ବେଣୀ ସଜ, ଘୁମନ୍ତ ଆକାଶ, 

ତୁମ ସଜ ସାଜ ସଂବର୍ତ୍ତକ ମେଘ, 

ଆଉ କଳା ମେଘ ଗଭୀର ଆବେଗ, 

ମତୁଆଲା ଭାବ ତୀବ୍ର ଆଲୋଡନ, 

ଏବେ ବାଷ୍ପୀଭୂତ, ଅବା ଘନୀଭୂତ,

ଅତି ଘନୀଭୂତ, ମାଟି ଓ ଆକାଶ, 

ଖଣ୍ଡ ଖଣ୍ଡ ହୋଇ ଭାସେ କାହିଁ..? 

ଅବା ତୁମ ମନ ଦ୍ରଵିଭୂତ ହୋଇ 

ଆଶ୍ରବଣେ ଅବା ତୁମ ସ୍ପୃହା ନାହିଁ..? 

କହିବ କି ତୁମେ, ହେ ନୀଳ ନୟନୀ.

ଭସା ମେଘ ବୋଲି ଭାସୁଛ କି..? 

ଅବା ତୁମ ମନ ଆବିଳତା ପୂର୍ଣ୍ଣ, 

ସେ ମନରେ ତୁମ ଆସ୍ଥା ନାହିଁ..!


Rate this content
Log in

Similar oriya poem from Abstract