STORYMIRROR

Sambit Srikumar

Romance

3  

Sambit Srikumar

Romance

ମେଘ

ମେଘ

1 min
161


ମେଘ ମୋ କାବ୍ୟ ନାୟିକା ପ୍ରେୟସୀ

ବିଜୁଳି ତା' ଓଠରେ ସ୍ମିତହାସ୍ୟର ଝଲକ

ଘଡ଼ଘଡ଼ି ତା' ସୁକୋମଳ ପାଦେ ବନ୍ଧା ପାଉଁଜୀର ଶବ୍ଦ

ରିମ୍ ଝିମ୍ ତା' ସୁମଧୁର କଣ୍ଠ ସ୍ବର ଝରୁଅଛି ତହିଁରୁ

ମତୁଆଲା ସଙ୍ଗୀତର ମର୍ମସ୍ପର୍ଶୀ ଝଙ୍କାର

ଇନ୍ଦ୍ରଧନୁ ତା' ସୁକୁମାରୀ ତନୁର ଷୋଳ ଶୃଙ୍ଗାର ।


ଭସା ଭସା ବଉଦ ତା' ଶାଢୀର ପଣତ

ସୁଲୁସୁଲିଆ ପବନ ତା' ଉଡନ୍ତା ଚୁମ୍ବନ

ଟିପ୍ ଟିପ୍ ଆସାର ତା' ପ୍ରୀତିଭରା ଆଲିଙ୍ଗନ

ମୂଷଳଧାରା ବରଷା ତା' କରୁଣ ବିଳାପ ରୋଦନ

ଦୀର୍ଘ ଦିନ ବିରହର ଏଇ ତ ପ୍ରତିଫଳନ ।


ମହାଶୂନ୍ୟ ତା'ର ଛାୟାପଥ

ଧରିତ୍ରୀ ତା' ଚିର ପ୍ରତୀକ୍ଷିତ ଗନ୍ତବ୍ୟ

ମୌସୁମୀ ତା' ରଥର ସାରଥୀ

ପର୍ବତରାଜି ତା' ସାମୟିକ ବିଶ୍ରାମ ସ୍ଥଳୀ

ମାଟି ଛୁଇଁବାର ରାହା ଖୋଜି ଖୋଜି

ଥକ୍କା ମାରି ଟିକେ ଯାଏ ତ ବସି ।


ମୋ ପ୍ରେୟସୀର ଶୁଭ ଆଗମନେ

ନିଦାଘର ଦାରୁଣ ଯନ୍ତ୍ରଣାରୁ ହୋଇ ମୁକ୍ତ

ହସି ଉଠେ ସସାଗରାଧରା ମହାଆନନ୍ଦରେ

ସାବଜା ଶାଗୁଆ ଶ୍ଯାମଳ ଦିଶେ ଚତୁର୍ଦ୍ଦିଗ

ପ୍ରାଣୀଗଣ ନୃତ୍ୟ ରଚନ୍ତି ହୋଇ ରୋମାଞ୍ଚିତ

ମଞ୍ଚସ୍ଥ ହୁଅଇ ରଙ୍ଗରାସେ ଆପଣା ଆପଣା

ପ୍ରଣୟ ନାଟିକାର ରମଣୀୟ ଅଙ୍କ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance