ମେଘ ଢ଼ଙ୍କା ମନ ମୋର
ମେଘ ଢ଼ଙ୍କା ମନ ମୋର
ଭସା ବାଦଲରେ
ବୁଲୁଥିଲି ମୁହିଁ ମୁକ୍ତ ଆକାଶର କୋଳେ
ମେଘ ଢ଼ଙ୍କା ଥିଲା ମୋ ମନ ଆକାଶ
ଛୁଇଁ ଦେଲ ଆସି ଧୀରେ ।
ବାଦଲ ଦୋଳିରେ ଉଡିଲା ମନ ମୋ
ପାଇ ତୁମର ପରଶ
ନିଶ୍ୱାସ ଯୋଡିଲି ତୁମ ସହ ସାଥୀ
ହୃଦୟେ ରଖି ଭରଷା ।
ଷଡ଼ ଐଶ୍ୱର୍ଯ୍ୟର ସୁଷମା ସମ୍ଭାରେ
ମୋ ମଥାରେ ଦେଲ ସିନ୍ଦୂର ଗାରେ
କୁଆଁରୀ ଜୀବନ ସରିଗଲା ମୋର
ସୀମନ୍ତିନୀ ହୋଇଗଲି ତୁମର ।
ଇନ୍ଦ୍ର ଧନୁଠୁ ସାତ ରଙ୍ଗ ମାଗି
ମଥା ମୋ ସଜେଇ ଦେଲ
ନାଲି ସିନ୍ଦୂରକୁ ମଥାମଣି ମୋର
ଓଢଣା ଫାଙ୍କରୁ ଅସ୍ତରାଗର ଲାଲିମା ପରି
ଚିକ୍ ମିକ୍ ଝଟକୁ ଥିଲା ।
ଯେଦୁନୁ ଭରିଲ ମଥାରେ ମୋହର
ତୁମ ନାମ ସାନ୍ଦୂର ଗାର
ଅୟୁତ ଯୁଗର ନିୟୃତ ସପନ
ଉଙ୍କି ମାରୁଅଛି ଏହି ମେଘଢଙ୍କା ମନେ ମୋର ।
ସାତସୁରେ ବନ୍ଧା ଜୀବନ ଆମର
କେତେଯେ ମଧୁର ହେଲା
ଗୋଟେ ମେଘଢଙ୍କା ନୀଳାଭ ଗଗନ
ଆମ ଜୀବନରେ ସାତରଙ୍ଗେ ଭରିଦେଲା ।