ମଦନ ମୋହନ ପ୍ରିୟା
ମଦନ ମୋହନ ପ୍ରିୟା
ଗୋକୁଳ ଚନ୍ଦ୍ରମା କହ୍ନେଇ ଶ୍ରୀମନ୍ତ ପୁରୁଷ ମାଧୋଇ,
ଗୋପପୁରକୁ ଫେରିବେକି ନିତ୍ୟ ରାସରେ ମୋହିବେକି ।।
ଧରଣୀ ବକ୍ଷରେ ଅନ୍ଧାର ସମୟ ଧାବଇ ପ୍ରଖର ,
ଅଦମ୍ୟ ଜିଜ୍ଞାସା ହୃଦର ରାଧିକା ପରାଣ ଆତୁର ।।
ନବଛଳେ ନର୍ତ୍ତକୀ ଗୋପା ସର୍ବାଙ୍ଗ ସୁନ୍ଦରୀ ସ୍ୱରୂପା ,
ବିଭିନ୍ନ ଅଙ୍ଗୀଭଙ୍ଗି ଶୋଭା ଭାବନାରେ କହ୍ନେଇ ଉଭା ।।
ପବିତ୍ର ସ୍ଵିକାରେ ସେ' ରାଈ ପରିକଳ୍ପେ ରାସ ରଚଇ ,
ନବାମ୍ବର ପିନ୍ଧି ଶୋଭଇ ନମସିତ ମୁଦ୍ରାରେ ରାଈ ।।
କହ୍ନେଇ କରସି ଭିଆଣ ପଦେ ନୂପୁର ରୁଣଝୁଣ ,
ଉଭା ହୋଇଲେ ତତକ୍ଷଣ ଚନ୍ଦ୍ରବଦନ ରାଧା ପ୍ରାଣ ।।
ମାୟାରେ ରଞ୍ଜିଲେ ନୟନ କପାଳେ ଆଙ୍କିଲେ ଚୁମ୍ବନ,
ରାଜୀବ ଶ୍ରୀହରି ଲୋଚନ ରାଧିକା ମାୟାରେ ମଗନ ।।
ଅଗ୍ନି ପାଶେ ପତଙ୍ଗ ପରି ଝାସ ଦିଅଇ ସେ' ସୁନ୍ଦରୀ ,
ସ୍ଵିକାରେ ରାଇ ଆତ୍ମାଭରି କଳାକାହ୍ନୁ ପ୍ରେମରେ ପୁରି ।।
ଆଖିର ଲୁହେ ଓଦାକରି ପରାଣେ ପ୍ରାଣକୁ ଆବୋରି ,
ସର୍ବଙ୍ଗେ ଶିହରଣ ଭରି ଚତୁଃପାର୍ଶ୍ଵରେ ଦେଖେ ହରି ।।
ଉଜ୍ଜ୍ୱଳ ଦିଶେ ଶୋଭାବନ ଯମୁନା ଜଳେ କରି ସ୍ନାନ ,
କାହ୍ନୁ ଛାଡ଼ନ୍ତେ ବୃନ୍ଦାବନ ରାଧିକା କରନ୍ତି ରୋଦନ ।।
କର ଆଙ୍ଗୁଳି ଦେଖାଇଣ ସଖୀ ଙ୍କୁ ଦେଇଗଲେ ରାଣ ,
କରିଲେ ତାଙ୍କୁ ସୁମିରଣ ଫେରିବେ ନିଶ୍ଚେ ରାଧା ପ୍ରାଣ ।।
