ମୌସୁମୀ ଫେରାର
ମୌସୁମୀ ଫେରାର
ଆସିଥିଲ ଦିନେ ସାଜି ମଉସୁମୀ
ମୋ ମନ ର ଆକାଶରେ
ଛୁଇଁ ଗଲ ତୁମେ ଗିରି ବନ ଲତା
ମୋ ହୃଦୟ କନ୍ଦରରେ ।
ତୁମ ସ୍ପର୍ଶ ପାଇ ସାଜିଲି ମୟୂରୀ
ପ୍ରେମ ତୁମ କଳା ମେଘ
ସୁଧା ବରସିଲା ଅସରା ଅସରା
ଭିଜିଲି ହୋଇ ଆବେଗ ।
ନିଦାଘ ଉତ୍ତାପେ ଜଳୁଥିଲା ଯେବେ
ଯଉବନି ଉପବନ
ଶାଖା ହୀନ ବୃକ୍ଷ ହେଲା ପଲ୍ଲବିତ
କିଶଳୟ ଗୁଲଶନ ।
ସମ୍ଭାବନା ହୀନ ଅନ୍ଧାର କୋଉଠୁ
ଆସିଲା କେଜାଣି ମାଡି
ଵିନିର୍ମିତ ନୀଡ଼ ପ୍ରେମ ପକ୍ଷୀ ଙ୍କର
ନିମିଷେ ଦେଲା ଉଜାଡ଼ି ।
ଝଡ଼ ଚାଲି ଗଲା ନିଜ ପଥ ଖୋଜି
ଆକାଶ ହେଲା ନିର୍ମଳ
ପ୍ରତିକୂଳତା କୁ ଆପଣେଇବାକୁ
ନଥିଲା ମୋ ମନେ ବଳ ।
ସେବେଠୁ ଫେରାର ଅଛି ମଉସୁମୀ
ନାହିଁ ତାର ଚିହ୍ନ ବର୍ଣ୍ଣ
ସ୍ୱନ ତାର ଟିକେ ଶ୍ରବଣ ପାଇଁ କି
ଦେଇଛି ମୁଁ ମନ କର୍ଣ୍ଣ ।
ମୌସୁମୀ କୁ ଝୁରେ ଶୁଷ୍କ କିଶଳୟ
ଅମୃତ ପିୟାସ ପାଇଁ
କେବେ ସେ ଫେରିବ କେବେ ସେ ଫେରିବ
ଆନମନା ଯାଏ ହୋଇ ।
ସନ୍ତର୍ପିତ ଆତ୍ମା ନିଷ୍ପ୍ରଭ ମୋ ପ୍ରାଣ
ସ୍ମୃତି ରେ ଭିଜୁଛି ମୁଁହି
ଅଶ୍ରୁଳ ନୟନେ ପ୍ରତ୍ୟୁଷେ ପ୍ରଦୋଷେ
ଶୂନ୍ୟପଥେ ଥାଏ ଚାହିଁ ।
ହରାଇନି ଆଶା ଛାଡିନି ଭରଷା
ଆଜିବି କରେ ଶୃଙ୍ଗାର
ଫେରିବ ମୌସୁମୀ ପୁଣି ମୋ ଆକାଶେ
ସାଥେ ନେଇ ଜଳଧର ।