ମାୟା
ମାୟା
ଯେତେ ଥର ତୋର ମାୟାରୁ ମୁକୁଳି
ବାହାରି ଆସିବି ଭାବି ଗୋଡ କାଢି ବସିଛି
ତୁ ପଛେ ଆଡ଼ ହେଇ ଯାଉ ସଖା
ମାୟା ତୋର ମତେ ଆହୁରି ଭିଡି କି ଧରିଛି ॥
ଅତି ସାଧାରଣ ମୋର ଦିନ ମାନ
ଯମୁନାରୁ ଘର ଘରରୁ ଯମୁନା ରୀତିରେ
ଦିନ ସାରୁଥାଏ ପୁଣି ଭାବୁଥାଏ
କାହିଁକି ପାରୁନି ରହି କେବେ ତୋର କତିରେ ॥
ଆଗକୁ ପଛକୁ ଯୁଆଡେ ଦେଖୁଛି
ଜଣା ପଡୁନାହିଁ ବାଟ ଅବାଟର ଛଟକ
ତୁ ଦେଇଛୁ ଛନ୍ଦି ଏମିତି ଯେ ମତେ
ନାଚି ନଜାଣି ତୋ ଇଚ୍ଛାରେ କରୁଛି ନାଟକ ॥
କେତେ ରାଗ ରୁଷା ଦେହ ଠି ଆତ୍ମାର
ଅଛି- ନାହିଁ ଖେଳ ନିଇତି ଗୋପନେ ଚାଲୁଛି
ଭୁଲିବାକୁ ପଣ କରିବାକୁ ବୋଧେ
ମନେ ରଖି ପୁଣି ସେଠି କି ଲେଉଟି ଆସୁଛି ॥
ଯେତେ ଥର ଏଇ ଜୀବନ ଚକ୍ରର
ମୋହ ତୁଟେଇଛୁ ଯାଚିଛୁ ପରମ ନିର୍ବାଣ
ଆଉ କିଛି ଏଠି ଥାଉ କି ନ ଥାଉ
ତୁ ବୋଲି ତୋର ମାୟାକୁ କରିଛି ବରଣ ॥
ତୁ ଜାଣିଚୁ କେତେ ଥର ତୋ ମାୟାରେ
ଗୋଟି ଗୋଟି ଜନ୍ମ ଭଉଁରୀ ଭିତରେ ହଜେଇ
ପାଇଲିନି ବୋଲି ଭାବିଲା ବେଳକୁ
ଆର ଜନ୍ମ କହି ଦେଇଚୁ କେମିତି ସଜେଇ ॥
ବାହାନାକୁ ଖାଲି ଗଅଁଠଉ ଥାଏ
କେତେ ଅଭିଯୋଗ ମାନ ଅଭିମାନ ଗୁମାନ
କେବେ ହେଲେ ଥରେ ପାଏ କି ନ ପାଏ
ତତେ ଖୋଜୁଥିଲେ ଲାଗେ ମୁଁ ଜିଉଁଛି ଜୀବନ ॥