ମାୟା ସଂସାର
ମାୟା ସଂସାର
ମାଟି ଦେହ ତୋର ମାଟିରେ ମିଶିବ
ଯେତେ ହେଉ ମହାବଳୀ
ସୁଖ ସମୃଦ୍ଧିକୁ ଛାତିରେ ଚାପି ତୁ
ହୁତ୍ ହୁତ୍ ଯିବୁ ଜଳି ।
କୃପଣ ହୃଦୟ କଠୋର ନିର୍ଦ୍ଦୟ
ଯେତେ ତୋ ଭାବନା ଘରେ
ଏକ ଏକ ଧ୍ୱଂସ ସ୍ତୁପ ପାଲଟିବେ
ପଡ଼ି ତୋ ଶ୍ମଶାନ ତୀରେ ।
ସୀମାତୀତ ତୋର ସୁଖର ରାଇଜ
ଲୀନ ହେବ ସ୍ବପ୍ନ ପରି
ଛ ଖଣ୍ଡ କାଠକୁ ପାଳ ଦଉଡିରେ
ଛନ୍ଦିବ ମରଣ ଡୋରି ।
ଅଶ୍ରୁ ସ୍ରୋତେ ଭାସି ସନ୍ତାରି ସନ୍ତାପେ
ପୁତ୍ର କନ୍ୟା ଭଗ୍ନୀ ଜାୟା
ଦୁଇ ଘଡ଼ି କାଳ ରୋଦନ କ୍ରନ୍ଦନ
ହୃଦୟେ ଜଗାଇ ମାୟା ।
ନେତ୍ର ଜଳ ପୋଛି ଅଞ୍ଚଳ ପ୍ରାନ୍ତରେ
ମନୋନିବେଶିବେ କର୍ମେ
ଶୁଦ୍ଧି କ୍ରିୟା କରି ପୁନଶ୍ଚ ବାହୁଡି
ଗଚ୍ଛିତ ସ୍ମୃତିକୁ ମର୍ମେ ।
ଉଡ଼ି ଗଲା ତୋର ପ୍ରାଣ ହଂସ ପକ୍ଷୀ
ମାଟି ଘଟ ତୋର ଛାଡି
ଶୁନ୍ୟ ମହାଶୁନ୍ୟେ ମିଳେଇ ଯିବୁ ତୁ
ଆଉ କି ପାରିବୁ ଭିଡ଼ି ।
କର ପ୍ରସାରିତେ ଅସଫଳ ପ୍ରାପ୍ତି
ଚିହ୍ନି ପାରିବେନି କେହି
ଯେତେ ତୁ ଚିତ୍କାର କର ଧନମାଳୀ
ପରିଶ୍ରମ ଧରାଶାୟୀ ।
ନୂତନ ଜୀବନ କରିବୁ ଧାରଣ
କର୍ମ ବଳ ଅନୁସାରେ
ପୁଣ୍ୟ ହାତ ଧରି ସରଗ ଯିବୁ ତୁ
ପାପ ନେବ ନର୍କ ପୁରେ ।