ସେଦିନ ଆଉ ଆଜି
ସେଦିନ ଆଉ ଆଜି
ସେଦିନ ଆଉ ଆଜି ଭିତରେ
କେତେ ପ୍ରାର୍ଥକ୍ଯ ସତେ,
ମନେ ପଡିଲେ ସେ ପିଲାଦିନ
ହୃଦୟ ଆଜି ଫାଟେ।
ପୁଅ ଝିଅରେ ନ ଥିଲା କିଛି
ଦଶ ବରଷ ଯାଏ ,
ଗାଧୁଆ ହୁଏ ଗାଁ ଗାଡିଆରେ
ଦେହେ ବସ୍ତ୍ର ନ ଥାଏ।
ଡେଇଁଛୁ ପୁଣି କାଦୁଅ ପାଣି
ପଚରିଆ ରାସ୍ତାରେ,
ଥଣ୍ଡା କି ସର୍ଦ୍ଦ କାଶ କି ଜର
ଆମକୁ ଦେଖି ଡରେ।
କାରଣ ଆମେ ମାଆ ପେଟର
ଦଶ ମାସିଆ ଛୁଆ,
ଆଜିକା ସିଜରିଂ ଛୁଆଙ୍କୁ
ବିଭିନ୍ନ ରୋଗ ଯାହା।
ପୂର୍ବେ ସାତଟା ଛୁଆର ମାଆ
କରୁଥିଲା ବି ଚାଷ,
ଏବେ ମୂଳରୁ ଚିକିତ୍ସା ମାଆ
ପେଟରେ ଲାଗେ ଅସ୍ତ୍ର।
ବିନା ସାରରେ ଫସଲ ଖାଇ
ଆମ ପୂର୍ବ ପୁରୁଷ,
ବଞ୍ଚିଛନ୍ତି ସେ ଶହେ ବରଷ
ଆମର ଷାଠିଏ ଶେଷ।
ନ ଥିଲା ଆଣ୍ଠୁ ଗଣ୍ଠି ବେଦନା
ସେ ବୁଢାବୁଢୀଙ୍କର,
ଏବେ ତିରିଶ ଟପିଲେ ଆମ
ଆଣ୍ଠୁ ଗଣ୍ଠି ବେମାର।
ଖାଲି ପାଦେ କି ସାଇକେଲରେ
ପୂର୍ବେ ଯାଆସ ହୁଏ,
ଏବେ ମଟର ଯାନ ବାହାନ
ବିପଦ ଦେଖାଦିଏ।
ଲଣ୍ଠନ କିମ୍ଵା ଚେମେଣି ବତୀ
ଲଗେଇ ପଢୁ ପାଠ,
ଏବେ ବିଜୁଳି ଯେତିକି ଭଲ
ସେତିକି ମାରାତ୍ମକ।
ସେଦିନ ବୋଉ ମାଆ ମାନଙ୍କୁ
ଦେଖିଲେ ଆସେ ଭକ୍ତି,
ଏବେ ମୋବାଇଲ ଫୋନ ଧରି
ବୁଲନ୍ତି ମମି ଆଣ୍ଟି।
ବଳଦ ଆଉ ନାହାଁନ୍ତି ଏବେ
ମାଳକୁ ମାଳ ଷଣ୍ଢ,
ଜଟିଆ ଷଣ୍ଢ କଅମ୍ ଅଜ-
ଟିଆଙ୍କ ଉପଦ୍ରବ।
ଆଗ ସମ୍ପର୍କ ଆଜି ନାହିଁ ତ
ହଜିଛି ମଣିଷତ୍ଵ,
ତର୍କାରୀ ଶାଗ ସାହି ସାହିରେ
ହେଉନି ବାଣ୍ଟକୁଣ୍ଟ ।
କୂଅ ଗାଡିଆ ପାଣି ବି ଆଗେ
ପିଉଥିଲେ ବି ଲୋକେ,
ଏବେ ଆକ୍ଓ୍ଵାଗାଆର୍ଡ ପାଣି
ପିଇ ବି ରୋଗ ବ୍ଯାପେ।
ହୋଇଲେ ରୋଗ ପୂର୍ବେ ବଇଦ୍ଯ
ନାଡି ଚିପିକି କହେ,
ଏବେ ଅନେକ ଯନ୍ତ୍ର ପରୀକ୍ଷା
ରୋଗ ଚିହ୍ନି ନହୁଏ।
ପାଉଁଶ ଦାନ୍ତକାଠିରେ ଘଷି
ଠିକ୍ ଥିଲା ତ ଦାନ୍ତ,
ଏବେ ଅନେକ ଦାନ୍ତ ସମସ୍ୟା
ଘଷି ବି ଟୁଥ୍ପେଷ୍ଟ।
ପୂର୍ବର ଘଣା ଶୋରିଷ ତେଲ
ଥିଲା ସେ ସ୍ଵାସ୍ଥ୍ୟକର,
ଏବେ ଭେଜାଲ ତୈଳ ଆହାର
ହେଉଛି କ୍ଷତିକାର।
ଥିଲା ଆଦର ମାଠିଆ ଗୁଡ
ଏବେ ତ କିନ୍ତୁ ନାହିଁ,
କେବଳ ମଧୁମେହ ରୋଗୀଙ୍କ
ସଂଖ୍ୟା ଯେ ବଢୁଥାଇ।
ଖାଇଛୁ ଆମେ ପଖାଳ ଭାତ
ପକାଇ ଗୋଡାଲୁଣ,
ଆୟୋଡିନ୍ ଲୁଣ ଖାଇଛୁ ଏବେ
ରୋଗ ବି କୋଉ କମ।
ମନେ ପଡୁଛି ପଙ୍ଗତ ଖିଆ
କଦଳୀ ପତ୍ର ପାରି,
ଏବେ ବର୍ଫିରେ ରୋଗ କିଣୁଛୁ
ଥାଳି କାଗଜ ଜରି।
ଜିରା କି ଲଙ୍କା ରସୁଣ ଅଦା
ପିଆଜ ଖଣ୍ଡେ ଦେଇ,
ବୋଉ ହାତର ରନ୍ଧା ତୁଉଣ
ସେ ସ୍ଵାଦ ଆଜି କାହିଁ?
ଶହେ ପ୍ରକାର ପ୍ଯାକ୍ ମସଲା
ପୂଜାରୀ ଲେଖୁଅଛି,
ସେ ସବୁ ଖାଇ ମଣିଷ ଆଜି
ବେମାର କିଣୁଅଛି।
ଚୂଲି ରୋଷେଇ ସୁଆଦ ଭାଇ
ଗ୍ୟାସ୍ ରନ୍ଧାରେ ନାହିଁ,
ଘଷି କାଠର ରନ୍ଧା ଆହାର
ମଙ୍ଗଳ ଦେହ ପାଇଁ।
ସେଇଥି ପାଇଁ ଅବଡ଼ା ରନ୍ଧା
କାଠ ଚୂଲିରେ ଦେଖ,
ଜଗା ପାଖରୁ ଆମ ସଂସ୍କୃତି
ଭଲ ଭାବରେ ଶିଖ।
