ସ୍ତନ୍ୟପାନ ସପ୍ତାହ
ସ୍ତନ୍ୟପାନ ସପ୍ତାହ
ଧନ୍ୟ ଭଗବାନ ଧନ୍ୟ ତୁମ କାମ
ଜଗତକୁ କଲ ଧନ୍ୟ ,
ମାଆର ସ୍ତନରେ ଭରିଲ ଅମୃତ
ରଖିଲ ଶିଶୁର ପ୍ରାଣ।
ମାତୃ ଗର୍ଭୁଁ ପଡ଼ି ଭୂମି ସ୍ପର୍ଶ କରି
ଶିଶୁ କାନ୍ଦେ କୁଆଁ କୁଆଁ,
ସହିପାରେ ନାହିଁ କୋଳେଇ ନେଇକି
କ୍ଷୀର ପେଇଦିଏ ମାଆ?
ମାଆ ନାଆଁ ଏଠି ହୋଇଲା ସାର୍ଥକ
ଶିଶୁ ମୁଖେ ଦେଲା ସ୍ତନ,
କ୍ରନ୍ଦନ ନ କରି ଆନନ୍ଦେ ଶିଶୁଟି
କଲା ଯେଣୁ ସ୍ତନ୍ୟପାନ।
ସ୍ତନ୍ୟପାନ କରି ମାଆର ଛାତିରୁ
ଶୋଷେ ଶିଶୁ ଯେବେ କ୍ଷୀର,
ମାତୃତ୍ଵର ପରିଚୟ ପାଏ ମାଆ
ସତେ ଲଭେ ସ୍ଵର୍ଗପୁର।
ମାଆର ସ୍ତନର ନୂଆ କଷ କ୍ଷୀର
ଛୁଆ ପାଇଁ ସର୍ବଷୌଧି,
ବିଭିନ୍ନ ରୋଗର ନିଦାନ ସେ କ୍ଷୀର
ସଂକ୍ରାମକ ପ୍ରତିରୋଧି।
ମାଆ କ୍ଷୀର ଶିଶୁ ସୁରକ୍ଷା କବଚ
ଶିଶୁ ଦେହେ ଭରେ ଶକ୍ତି,
ଅମୃତ ଭଣ୍ଡାର ମାଆ ଛାତି କ୍ଷୀର
ବିକଳ୍ପ ନାହିଁ ତ କିଛି।
ସଦ୍ୟଜାତ ଶିଶୁ ଭୂମିଷ୍ଠ ପୂର୍ବରୁ
ମାଆର କ୍ଷୀର ସଂଚରେ,
ଛଅ ମାସ ଯାଏଁ ଶିଶୁଟିଏ ଖାଲି
ମାଆ କ୍ଷୀର ଖାଇପାରେ।
ସନ୍ତୋଷ ଚିତ୍ତରେ ଶିଶୁକୁ ଆଉଁସି
କ୍ଷୀର ପେଉଥିଲେ ମାଆ,
ସେତେବେଳେ କ୍ଷୀର ସ୍ତନରୁ ଯଥେଷ୍ଟ
ଝରିଥାଏ ଛାଆଁ ଛାଆଁ।
ଶିଶୁ ଯେବେଶୋଷି ସ୍ତନ୍ୟପାନ କରେ
ମାଆକୁ ଆରାମ ଲାଗେ,
ସବୁ ଚର୍ବି ଅଂଶ ସ୍ତନୁ କମିଯାଏ
ମାଆ ପଡେ ନାହିଁ ରୋଗେ।
ଆଜି କିଛି ନାରୀ ପାଶ୍ଚାତ୍ୟ ଆଦରି
ସୌନ୍ଦର୍ଯ୍ୟକୁ ରକ୍ଷାକରି,
ଡବାକ୍ଷୀର ଶିଶୁ ପାଟିରେ ଦିଅନ୍ତି
ଧିକ ନାରୀତ୍ଵ ତାଙ୍କରି।
କ୍ଷୀର ଅବରୋଧ ଅସହ୍ୟ ସେ କଷ୍ଟ
ଗର୍ଭ ବେଦନାଠୁଁ ବଳି,
ଶିଶୁ ଟାଣି ଟାଣି କ୍ଷୀର ଶୋଷିନେଲେ
କଷ୍ଟ ଯାଏ ଅପସରି।
ଡାକ୍ତର କୁହନ୍ତି ଶିଶୁଟିଏ ଯଦି
ମାଆ କ୍ଷୀର ଖାଇଥାଏ,
ସ୍ତନ କର୍କଟ ଯେ ମାଆକୁ ହୁଏନି
ଶିଶୁ ମଧ୍ୟ ସୁସ୍ଥ ରୁହେ।
ସ୍ତନ୍ୟପାନ ଦେଇ ମାଆ ଆଉ ଛୁଆ
ଉଭୟେ ନିରୋଗ ରୁହ,
ଡବାକ୍ଷୀର କେବେ ଦିଅନା ଶିଶୁକୁ
ସେସବୁ ଦୂରରେ ଥୁଅ।
ମାଆ ଛାତି କ୍ଷୀର ଶିଶୁ ପିଉଥିଲେ
ମାଆ ଓଠେ ଫୁଟେ ହସ,
ତେଣୁ ମାଆ ଲାଜ ନକରି ଖୁିଆଅ
ହେବନି ସୌନ୍ଦର୍ଯ୍ୟ ନଷ୍ଟ।
ଚିର ଦିନ ରୂପ ସୌନ୍ଦର୍ଯ୍ୟ ରୁହେନା
ଦିନେ ସେ ମଉଳିଯାଏ,
ମାଆ କ୍ଷୀର ପିଇ ଶିଶୁ ବଡ଼ ହେଲେ
ମାଆପଣିଆଟି ରହେ।
ପୁଅର ପାଟିରୁ ମାଆ ଡାକ ଶୁଣି
ମାଆ ହୁଏ ଆତ୍ମହରା,
ସବୁଠାରୁ ମିଠା ଦୁନିଆଁ ଭିତରେ
ମାଆ ଡାକଟିଏ ପରା।
ଶିଶୁ ପାଇଁ ମାଆ ନାମଟି ସୁନ୍ଦର
ମାଆ ପାଇଁ ମାତୃପଣ,
ଶିଶୁ ଯେବେ ବଢ଼ି ବାଟ ଚାଲିଥାଏ
ମାଆଟିର ରହେ ଟାଣ।
ତେଣୁ ମାତୃଗଣ ଶୁଣ ନିବେଦନ
କରାଅ ହେ ସ୍ତନ୍ୟପାନ,
ସ୍ତନ୍ୟପାନ ସପ୍ତା ଦେଉଛି ଏ ବାର୍ତ୍ତା
ମାଆ ହିଁ ସୃଷ୍ଟି କାରଣ।
ପ୍ରତି ବର୍ଷ ଏହି ଅଗଷ୍ଟ ମାସର
ଏକରୁ ସାତ ତାରିଖ,
ସ୍ତନ୍ୟପାନ ସପ୍ତା ହେଉଛି ପାଳନ
ମାଆ ମାନେ ଦିଅ ଲକ୍ଷ୍ୟ।
ମାଆ କ୍ଷୀର ଯିଏ ପିଇଛି ସଂସାରେ
ସିଏ ହୋଇଅଛି ବଡ଼,
ବଳବାନ,ବୁଦ୍ଧିମାନ,ଶକ୍ତିମାନ
କରିଥାଏ ମାଆ କ୍ଷୀର।
ଏଇ ମାଆ କ୍ଷୀର ପିଇଥିଲେ ବୋଲି
ସଂଗ୍ରାମୀ,ବୀର, ଯବାନ,
ବିଦେଶୀ ହାତରୁ ଭାରତବର୍ଷକୁ
କରିଥିଲେ ଯେ ସ୍ଵାଧୀନ।
