STORYMIRROR

Papu parida

Tragedy Classics Inspirational

4  

Papu parida

Tragedy Classics Inspirational

ମୁଁ ତ୍ରିରଙ୍ଗା ପତାକା କହୁଛି

ମୁଁ ତ୍ରିରଙ୍ଗା ପତାକା କହୁଛି

2 mins
290

ତିନୋଟି ରଙ୍ଗରେ ସୁବେଶିତ ତନୁ

ସୁଦୀପ୍ତ ମୁଖମଣ୍ଡଳ

ପ୍ରତି ଭାରତୀୟ ମନ ଓ ପ୍ରାଣକୁ

କରେ ମୁଁ ଚଳଚଞ୍ଚଳ।


ନାରଙ୍ଗୀ ବଖାଣେ ତ୍ୟାଗ ବଳିଦାନ

ଶ୍ୱେତ ବଖାଣେ ସତ୍ୟତା,

ବଖାଣେ ସବୁଜ ଦୃଢତା ବିଶ୍ୱାସ

ଭାରତୀର ଅସ୍ମିତା।


ସ୍ୱାଭିମାନ ମୁହିଁ ଏ ମହାଜାତିର

        ଆଜି ନିଜ ସ୍ୱାଭିମାନ ହାରୁଛି

        ନିଅ ଥରେ ଶୁଣି ଭାରତୀୟ ସର୍ବେ

        ମୁଁ ତ୍ରିରଙ୍ଗା ପତାକା କହୁଛି।


ମୋହରି ସମ୍ମାନ ଏଇ ଜାତି ଲାଗି

ପ୍ରାଣଠାରୁ ବଳି ଯାଏ,

ସେଥିପାଇଁ ପରା ସୁନୀଳ ଗଗନେ

ଫରଫର ଉଡୁଥାଏ।


ନିର୍ଦ୍ଦୟୀ ରଜ୍ଜୁର ଶକ୍ତ ଆଲିଙ୍ଗନ

କରିଲେ କେତେ ବରଣ,

କେତେ ଛାତି ଛେଦି ବାରୁଦ କାନ୍ଦିଲା

ଅକ୍ଷତ ଥିଲା ବଦନ।


ବିଷର୍ଣ୍ଣ ମନରେ ବିରସ ସ୍ୱରରେ

        କାହିଁ ମୁଁ ବାଉଳା ହେଉଛି

        ନିଅ ଥରେ ଶୁଣି ଭାରତୀୟ ସର୍ବେ

        ମୁଁ ତ୍ରିରଙ୍ଗା ପତାକା କହୁଛି।


ସ୍ବାଧୀନତାର ସେ ଅମୃତ ଉତ୍ସବେ

ସବୁଠି ପାଇଲି ସ୍ଥାନ,

ପ୍ରତି ଘରେ ପ୍ରତି ମନରେ ଉଡିଣ

ପ୍ରଫୁଲ୍ଲିତ ଥିଲା ମନ।


ଗରିବ କୁଡ଼ିଆ ଧନୀକ ମହଲ

ସବୁ ହେଲା ଏକାକାର,

ତିନି ରଙ୍ଗର ସେ ଅପୂର୍ବ ଶୋଭାରେ

ଜାତୀୟତାର ପ୍ରଚାର।


ପାହାନ୍ତି କୁହୁଡି ଉଡ଼ିଗଲା ପରି

        ସବୁ ଖୁସି ମୋର ଉଡି ଯାଉଛି

        ନିଅ ଥରେ ଶୁଣି ଭାରତୀୟ ସର୍ବେ

        ମୁଁ ତ୍ରିରଙ୍ଗା ପତାକା କହୁଛି।


କୋଟି ଭାରତୀୟ ସୁପ୍ତ ହୃଦୟକୁ

ଜାଗ୍ରତ କରିବା ପାଇଁ,

ମାତା ଭାରତୀର ଗାଥା ଗାଇବାକୁ

ଜନମି ଥିଲିରେ ମୁହିଁ।


ଆଜି କାହିଁ କ୍ଷୋଭ କାହିଁକି ଏ ଦୁଃଖ

ଜାଣି ପାରୁ ନାହଁ କେହି ?

ସର୍ବୋଚ୍ଚ ସମ୍ମାନ ପାଉଥିଲି ଆଜି

ପୋଛାକନା ଗଲି ହୋଇ।


ଅସହ୍ୟ ପୀଡ଼ାରେ ସନ୍ତୁଳି ହୋଇଣ

         ନିଜ ଲୁହ ନିଜେ ପୋଛୁଛି

         ନିଅ ଥରେ ଶୁଣି ଭାରତୀୟ ସର୍ବେ

         ମୁଁ ତ୍ରିରଙ୍ଗା ପତାକା କହୁଛି।


ଜାତିର ସର୍ବୋଚ୍ଚ ସନ୍ତକ ମୁହିଁରେ

ସାଜିଲି ଘର ପରଦା,

କାହାର ବିଲର ହୋଇଲି ଚିହ୍ନ ମୁଁ

କାହିଁ ଗଲା ସେ ଶରଧା।


ମଳିନ କ୍ଷତାକ୍ତ ଦୁସ୍ଥ ପରିତ୍ୟକ୍ତ

ଚିରଫଟା ରୂପ ମୋର,

ସହି ହେଉ ନାହିଁ କହି ହେଉ ନାହିଁ

ସନ୍ତାନଙ୍କ ହତାଦର।


ଯଦି ଏହା ହିଁ ସଂସ୍କାର ଲୋଡ ନାହିଁ ମୋର

      ବାସ ଏତିକି ଗୁହାରି କରୁଛି

      ନିଅ ଥରେ ଶୁଣି ଭାରତୀୟ ସର୍ବେ

      ମୁଁ ତ୍ରିରଙ୍ଗା ପତାକା କହୁଛି।


ଏତାଦୃଶ ମୋର ଅବସ୍ଥା ଆଜିରେ

କାହିଁ ପାଇଁ କାହା ପାଇଁ ?

ଅଳିଆ ଗଦାରେ ଅଳିଆ ହେବାକୁ 

ଜନମି ନଥିଲି ମୁହିଁ।


ଏତେ ଅନାଦର କରିବାର ଥିଲେ

କର ନାହିଁ ମୋତେ ପ୍ରେମ,

ଦୁଇ ଦିନ ପ୍ରେମ ତା ପରେ ବିରହ

ଧୋକାବାଜ ପ୍ରେମୀ ସମ।


ବିରହ ଜ୍ୱାଳାରେ ଜଳି ଜଳି ମୁହିଁ

        ବିରହ କବିତା ଗାଉଛି

        ନିଅ ଥରେ ଶୁଣି ଭାରତୀୟ ସର୍ବେ

        ମୁଁ ତ୍ରିରଙ୍ଗା ପତାକା କହୁଛି।


ସଚେତନତାର ଅଭାବ ଆଳରେ

କେତେ ସହିବି ମୁଁ କଷ୍ଟ ?

ଅସହ୍ୟ ଜ୍ବାଳା ଏ କେତେ ମୁଁ ସହିବି

କରିଦିଅ ଟିକେ ସ୍ପଷ୍ଟ।


କାହିଁ ସଂଗଠନ ଯୁବ ଅନୁଷ୍ଠାନ 

ସାଜିଲ ମୂକ ବଧିର ?

ଅକ୍ଷମ ହେଲେକି ଭାରତୀ ସନ୍ତାନ

ମିଳୁନି ମୋତେ ଉତ୍ତର।


ପୂର୍ବ ପ୍ରତ୍ୟୟ ମୋ ପାଇବି ମୁଁ ଫେରି

       ବାସ ଏଇ ଆଶା ନେଇ ରହୁଛି

       ନିଅ ଥରେ ଶୁଣି ଭାରତୀୟ ସର୍ବେ

       ମୁଁ ତ୍ରିରଙ୍ଗା ପତାକା କହୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy