STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଯାଜ୍ଞସେନୀ ର ଯାଚ଼ନା

ଯାଜ୍ଞସେନୀ ର ଯାଚ଼ନା

2 mins
47


ଯଜ୍ଞ ସମ୍ଭୁତା ଯାଜ୍ଞସେନୀ ମୁଁ

ଦ୍ରୁପଦ ନନ୍ଦିନୀ ଦୌପଦୀ

ମନେ ମୋର ଗଦା ଗଦା

ପ୍ରଶ୍ନର ପୋଟଳୀ

ମୋତେ ତାର ଉତ୍ତର 

କହି ଦିଅ ସଖା ।


ଯଜ୍ଞ ସମ୍ଭୁତା ଯାଜ୍ଞସେନୀ

କର୍ଣ୍ଣ ପ୍ରେମେ ଅଭିଭୂତା

ସ୍ୱୟମ୍ଭରେ ଅର୍ଜ୍ଜୁନ ଯେ ପତି

ହେଲେ, ହେ କେଶବ - 

ଯେତେବେଳେ

ମାତା କୁନ୍ତି ମୋତେ

ବାଣ୍ଟି ଦେଲେ ପାଞ୍ଚଜଣଙ୍କ ମଧ୍ୟେ

ମାନିନେଲି -

ଯାଜ୍ଞସେନୀ ମନର ନିବୃତ୍ତ କୋଣରେ

ପ୍ରତିବାଦର ଦହନ 

ହେଲେ,

ଅଗ୍ନି ସ୍ନାନ କରି ମୁଁ ପଞ୍ଚପତିର ମନ ଚ଼ାରିଣୀ ବନି ଗଲି ।


ପ୍ରେମ ମୋର କର୍ଣ୍ଣ ପାଖେ ନିର୍ବାସିତ

ସ୍ୱୟଂମ୍ଭରେ ପ୍ରାପ୍ତ ସ୍ୱାମୀ

ମାତା ଆଜ୍ଞା ପାଳନରେ ବ୍ରତୀ

ହେଲେ ହେ କେଶବ

ଯାଜ୍ଞସେନୀ ଦ୍ରବ୍ୟ ନୁହେଁ

ରକ୍ତ ମାଂସ ଧାରୀ ନାରୀ ଟିଏ 

ତାର ଇଚ୍ଛା ମାନେ ତାକୁ 

ବ୍ୟତିବ୍ୟସ୍ତ କଲାବେଳେ

ଯେଉଁ ପ୍ରଶ୍ନ ମାନେ 

ଧାଁ ଧପଡ କରୁଥିଲେ

ତାର ଉତ୍ତର ତ କହି ଦିଅ କେଶବ ?


ଅର୍ଜ୍ଜୁନଙ୍କୁ ବରଣ କରିଥିବା

ଯାଜ୍ଞସେନୀ ମନର ଦ୍ୱିବିଧାକୁ

ନେଇ ସମୟ କାଟିଛି

ହେଲେ ଅଟକିନି

ତୁମେ କହି ଦିଅ କେଶବ

କାହିଁକି ମୁଁ ଯାତନାର

ନଦୀକୂଳ ଚ଼ାରିଣୀ ହୋଇଲି ?


ସୃଷ୍ଟିର କଲ୍ୟାଣାର୍ଥେ - 

ଧର୍ମ ସଂସ୍ଥାପନା ପାଇଁ

ମୁଁ ହେଲି ପଞ୍ଚପତି ସେବ୍ୟା

ଯାତନାର ଜଉଘରେ

ଜଳିଛି ମୁଁ ମୋ ଇଚ୍ଛା ମାନଙ୍କୁ

ସମାଧି ଦେଇ 

ମୋ ଇଚ୍ଛା ଅନିଚ୍ଛାର 

ପୃଷ୍ଠ ପିଠିକାରେ

ମୁଁ ହୋଇଗଲି 

ପଞ୍ଚପତି ଭୋଗ୍ୟା 

ହେଲେ କାହିଁକି କେଶବ ? ?


ଧର୍ମରାଜ ନାମ ନେଇ ପତି ମୋର

କପଟ ପାଶାରେ 

ବାଜି ରଖିଦେଲେ 

ଆଉ ମୁଁ ପାଞ୍ଚାଳୀ

ସେମାନଙ୍କ ବିବସତାକୁ

ସତେ ଯେପରି ଆପଣେଇ ନେଲି 


ପ୍ରଶ୍ନବାଚୀର ଜାଲରେ ଛନ୍ଦି 

ହୋଇ ଯାଉ ଯାଉ

ମୋତେ ବିବସ୍ତ୍ର ଉଦ୍ୟମ

କରାଗଲା -

ସମସ୍ତେ କେମିତି

ଚୁପ୍ ରହିଥିଲେ କେଶବ ??

ଧନୁର୍ଦ୍ଧାରୀ ଅର୍ଜ୍ଜୁନ 

ଧର୍ମରାଜ ଯୁଧିଷ୍ଠିର

ଗଦାଧାରୀ ଭୀମ

ସର୍ବୋପରି ଭୀଷ୍ମ , ଦ୍ରୋଣ ତଥା

ଅନ୍ୟାନ୍ୟ

ଗୁରୁ ଗୁରୁଜନ କେମିତି ଚୁପ୍ ରହିଲେ ???


କେମିତି ସେମାନେ ସହିନେଲେ ସଖା !

ଗୋଟିଏ ଗୋଟିଏ 

ଅକର୍ମଣ୍ୟ ପ୍ରତିଜ୍ଞାକୁ 

ସାର୍ଥକ କରିବାକୁ ଯାଇ

ଆଖି ସାମ୍ନାରେ କୁଳବଧୂର ବିବସନାର ପ୍ରୟାସକୁ 

କେମିତି ପ୍ରତିବାଦ କଲେନି ???

କେମିତି ସେମାନେ

ନିରବ ଦ୍ରଷ୍ଟା ହୋଇଗଲେ ?

ଆଉ ତୁମେ ଶେଷରେ

ପ୍ରମାଣ କରି ଦେଲ 

ତୁମେ ଶ୍ରେଷ୍ଠ -

ତୁମେ ସର୍ବୋତ୍ତମ

ସବୁ ସମସ୍ୟାର ସମାଧାନର ହେତୁ ।

ମୋତେ ତୁମେ ଲଜ୍ଜାରୁ ଉଦ୍ଧାର 

କଲ ସଖା -

ହେଲେ ତୁମେ କି ବୁଝିଛ 

ମୋ ଏକଲା ପଣିଆର 

ନିବୃତ୍ତ ଯନ୍ତ୍ରଣାକୁ ???


ଘଟଣା ଦୁର୍ଘଟଣାର ଅନ୍ତରାଳରେ

ମୋ ଜୀବନ 

ଦଗ୍ଧ ହେଉଥିବା ବେଳେ

ତୁମେ କାହିଁକି ଏତେ ସବୁ 

ହେବାକୁ ଦେଲ ???


ସ୍ଵର୍ଗାରୋହଣରେ ବି ମୁଁ ଥିଲି ଏକା-

ଆଉ, 

ତୁମେ ବୋଧେ ଜଣାଉଥିଲ 

କେହି ନୁହେଁ ସତରେ ନିଜର

ସର୍ବୋପରି ତୁମେ ହିଁ ସର୍ବସ୍ଵ

ତୁମେ ହିଁ ସମସ୍ତଙ୍କର ଉର୍ଦ୍ଧ୍ଵ ରେ

ସବୁ ସମସ୍ୟାର ସମାଧାନରେ

ତୁମେ ହିଁ ଶ୍ରେଷ୍ଠ ।


ସତରେ ସଖା-

କହିବ କି ଥରେ

ମୋ ଯାତନା, ମୋ ବେଦନା

ମୋ ଅନ୍ତର୍ଦ୍ବନ୍ଦର ଇଲାକାରେ

ତୁମେ କେବେ ବୁଲିଛ କି

ବୁଝିଛ କି ମୋ ଅନ୍ତର୍ବେଦନାର

ଚରମ ଭାବକୁ ???


ହଁ ବୋଧେ ବୁଝିଥିଲ ବୋଲି

ସୀମା ଟପିଯିବା ପରେ

କଲ ବସ୍ତ୍ର ଦାନ

ଆଉ 

ପାଞ୍ଚାଳୀର ଲଜ୍ଜା ହେଲା ନିବାରଣ ।

ହେ ସଖା -

ମୋ ପାଖେ ଅସରନ୍ତି ଯାଚ଼ନା

ତୁମ ପାଇଁ

ଯାହା ଲେଖିଲେ ବି 

ଲେଖି ହେବ ନାହିଁ

ଆଉ,

ତାକୁ ପଢ଼ିବ ବା କିଏ !


ତେଣୁ, ହେ କେଶବ, 

ଯାଜ୍ଞସେନୀ ତା ଯାଚ଼ନା ରେ

ପୂର୍ଣ୍ଣଚ୍ଛେଦ ଟାଣି

ତୁମକୁ ସର୍ବସ୍ବ ବୋଲି ମାନି ନେଉଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy