STORYMIRROR

Sarojini Mishra

Tragedy

4  

Sarojini Mishra

Tragedy

ଆ' ଜହ୍ନମାମୁଁ

ଆ' ଜହ୍ନମାମୁଁ

2 mins
34

ଆ ଜହ୍ନ ମାମୁଁ ସରଗ ଶଶୀ ମୁଁ

ଡାକୁ ଅଛି ପରା ପିଲା ଦିନରୁ

ମୋ ପିଲା ଦିନରେ ମା' ଡାକୁ ଥିଲା

ମୁଁ ଡାକୁଛି ଆଜି ମୋର ଅନ୍ତରୁ ।

କୁନି ହାତେ ତୁଇ ଖସି ପଡ଼ କହି

ଭରୁଚି ପରା ମୁଁ ଲକ୍ଷେ ସପନ

ଆକାଶ ବୁକୁରେ ଆହା କି ସୁନ୍ଦର

ଭରି ଦେଉଛୁ ତୁ ଶାନ୍ତ କିରଣ ।

ଆ ଜହ୍ନ ମାମୁଁ ଓହ୍ଲାଇ ଆ ତୁ

ଚନ୍ଦ୍ରମା ଚର୍ଚ୍ଚିତ କରି ଦେ ମନ

ଆମେ ଚାହିଁ ଅଛୁ ସୁଢ଼ଳ ନୟନେ

ଡେରି କର ନାହିଁ ଆ' ସଘନ ।

ଆ' ଜହ୍ନ ମାମୁଁ କିମ୍ପାଇଁ ମଉନ

ପାଖକୁ ଆସିବା ଡ଼ର କି ଲାଗେ

ତୋଫା ଦେହ ତୋର ହେବ କି ମଇଳା

ଧୂଳି ଧୂଆଁ ବାଜି ଭାବୁଛୁ କିରେ ।

ଆ ଜହ୍ନ ମାମୁଁ ଏ ଧରା ପୃଷ୍ଠକୁ

ଶାନ୍ତ, ଶୀତଳତା ବାରତା ଦେଏ

ଏଠି ଖେଳୁଛନ୍ତି କେତେ ତାରାଫୁଲ

ତାଙ୍କୁ ଥରେ ହେଲେ କୋଳେଇ ନେଏ ।

ଆକାଶ ପାଖରୁ ଚିଟାଉ ତୁ ଆଣି

ଧରିତ୍ରୀ କାନି ରେ ବାନ୍ଧି ଯେ ଦେଏ

ଧରିତ୍ରୀ ବୁକୁର ପ୍ରୀତି ସ୍ପନ୍ଦନକୁ

ଥରୁଟିଏ ଜହ୍ନ ବଢ଼ାଇ ନେଏ ।

ଆ' ଜହ୍ନ ମାମୁଁ ଓହ୍ଲାଇ ତୁ ଆ

କେତେ ଦେଖାଇବି ମିଛ ସପନ

ଥରୁ ଟିଏ ଆସି କଇଁ ସଙ୍ଗେ ଭେଟି

ସଫଳ କର ଦେ ମିଳନ ଲଗ୍ନ।

ଆ' ଜହ୍ନମାମୁଁ କୁନି ମୋ ରୁଷିଛି

ଧରିବାକୁ ତୋତେ ଗୋଡ଼ାଉ ଅଛି

ତୋତେ ଦେଖି ସିଏ ଏତେ ଖୁସି ହୁଏ

ତୋତେ ଦୁଃଖ କିବା ନାହିଁ ଲାଗୁଛି ।     

ନ ଆସିବୁ ଯଦି ଚିଟାଉ ଲେଖି ଦେ

ଚନ୍ଦ୍ରଯାନେ କୁନି ଯିବ ତୋ ପାଶ

ତୋତେ ସଙ୍ଗେ ନେଇ ଆଣିବ ଧରାକୁ

ଝରିବ ସଭିଙ୍କ ମୁହଁରୁ ହସ |

ତୁ ଆସି କହିବୁ ତୋ ରାଇଜ କଥା

ସଭିଏଁ ଶୁଣିବେ ତୋ ପାଶେ ଘେରି

ଅବୁଝା ହେବେନି ତୋତେ ଧରିବାକୁ

ଜ୍ଞାନ ଦେଇ ତୁ ଯେ ଯିବୁ ରେ ଫେରି ।

ଜହ୍ନ ମାମୁଁ ତୁ କି ଆସିବୁ ନାହିଁରେ

ତୋ ପାଖେ କି ଜୀବ କରିବେ ବାସ

ସେମିତି ହୋଇଲେ ଜାଣି ଥା' ରେ ଜହ୍ନ

ନଷ୍ଟ ହେବ ତୋର ସୁନ୍ଦର ଯଶ ।

ହୁଏତ ତୋ ରୂପ ହୋଇବ କୁରୂପ

କବି ଭାବନାରେ ଭଟ୍ଟା ପଡ଼ିବ

ତୋର ଶୀତଳତା ରହିବ କି ନାହିଁ

ପ୍ରଶ୍ନ ଉଠୁ ଅଛି ବଡ଼ ଅଜବ ।

ଆ' ଜହ୍ନ ମାମୁଁ ଥରୁଟିଏ ଆ

ଧରାରେ ତୋ ସ୍ପର୍ଶ ଦେଇ ତୁ ଯା'

ଆକାଶ ବୁକୁରେ ଏଇମିତି ରହି

ସଭିଙ୍କର ମନ ତୋଷୁ ଯେ ଥା' ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy