STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଅତୁଲ୍ୟ ସ୍ଵାକ୍ଷର

ଅତୁଲ୍ୟ ସ୍ଵାକ୍ଷର

2 mins
17


ସିନ୍ଦୁରା ଫାଟିବା ବେଳକୁ

    ଅଳସ ଭାଙ୍ଗୁ ନ ଥିବ

ଡାମରା କା କା ଡାକିବା କାଳକୁ

    ଅନ୍ଧାର ଛାଡ଼ି ନ ଥିବ

ସଂସ୍କାର ମୁଣ୍ଡରେ ବସେ

ଦାୟିତ୍ଵ କମର କସେ

ପାହାନ୍ତିଆ ସୁଖ ନିଦ୍ରା ତେଜି

ମହୁମାଛି ପରି ଘରକାମରେ ମଜ୍ଜି

ସକାଳୁ ଉଠା ଆଜି ହେଲାଣି ଦେହସୁଆ

ଆପେ ଆପେ ନିଦ ଭାଙ୍ଗେ ଆଇବାସିଆ ।


ଫୁଲ ତୋଳିବା ବେଳକୁ

    କାକର ଛାଡ଼ିଥିବ ନାହିଁ

ମାଳ ଗୁନ୍ଥିବା କାଳକୁ

     ଛୁଞ୍ଚି - ସୂତା ରହିଥିବ ଚାହିଁ

ଧଳା ମଝିରେ ନାଲି ମନ୍ଦାର

ଝୁମୁକା ଓହଳି ଥିବ କେଡେ ସୁନ୍ଦର

ଠାକୁର ବେକରେ ଶୋଭେ କି ମନୋହର

ପୂଜା ପାଠରେ ମନ୍ତ୍ର ଉଚ୍ଚାରଣେ ଭୂଲେ ସଂସାର

ଉଷା ଉପବାସ ଦିନ

ପର୍ବ ପର୍ବାଣୀ ଦିନ

ପ୍ରଭୁ ପାଦପଦ୍ମେ ମନ ତନ ଚଇତନ

ଅର୍ପଣ ତର୍ପଣ ଅରାଧନା ବଢିଯାଏ ଧ୍ୟାନ ।


ଚାଉଳ ଧୋଇବା ବେଳକୁ

    ପାପୁଲି ଆଙ୍ଗୁଳି ଫାନ୍ଦେ

ପରିବା କାଟିବା କାଳକୁ

     ପନିଖି ଧାରରେ ଛନ୍ଦେ

ଖମ୍ବଆଳୁ ଛୁଇଁ ବାଇଗଣ ବାଟଣ

ନିମ୍ବଫୁଲ ଚାଉଳ ବଡି ଘାଣ୍ଟ ତିଅଣ 

ଧଣିଆପତ୍ର ରସୁଣ ଅଦା କଂଚାଲଙ୍କା ଚଟୁଣି

ଆଳୁ ଟମାଟୋ ପୋଡା ବାସରେ ଭାତଗୁଣ୍ଡା

ପାଟିରେ ପଶିଲାଣି

ପାମ୍ପଡ଼ ଖାଉ ଖାଉ ମାରେ ହାକୁଟି

ପାଣି ପିଉ ପିଉ ତାଳୁକୁ ଉଠିଯାଏ 

ନାକଛିଦ୍ରେ ପାଣି ବହେଟି ।


ମାଇସଂଜ ଘୋଟିବା ବେଳକୁ

    ପଶ୍ଚିମେ ସିନ୍ଦୁରା ଆଭା

ଦୀପାଳି ସଳିତା ଜଳେଇବା କାଳକୁ

    କୂଳ ଭୂଆସୁଣି ପ୍ରଭା

ଦାଉ ଦାଉ ଦୀପ ଜଳୁଥିବ

ପବନ ସହିତ ଠିକ୍ ଲଢୁଥିବ

ସାଢ଼େ ତିନିଟା ଶୁଭଶଙ୍ଖ ଫୁଙ୍କିବା ପରେ

ମୁଣ୍ଡିଆଟେ ମାରି ପାଦଧୂଳି ମସ୍ତକେ ମାରିବା ପରେ

ପୁଣି ଖାଇବା ପର୍ବ ଆରମ୍ଭ

ଚାରି ଲୋକର ଚବିଶ ପ୍ରକୃତି ପ୍ରାରମ୍ଭ


ଶେଯ ଶୁଘିଁବା ବେଳକୁ

    ନିଦ ମାରୁଥିବ ହାଇ

ପଲଙ୍କ ଲାଗିବା କାଳକୁ

    ଆଖି ବୁଜିଥିବ କି ନାହିଁ

ନରମ ହାତଟା ଆସ୍ତେ ଆସ୍ତେ ଆସେ  

କମର ଦେହରେ କୁତୁ କୁତୁ ଘସେ

ରାଗଲାଗେ ଅସୁମାରୀ ରାଗି ପାରେନା

ପିଇଯାଏ ଚାପିଦିଏ ଚଳୁକରିବି ସରେନା

ମୁରୁକି ଦିଏ ଆପେ ଆପେ ବାହୁ ପ୍ରସାରୀ ।


ମନରେ ଭାବାନ୍ତର ଉଠିବା ବେଳକୁ

     ଟିଭି ସିରିଏଲ୍ ବେଳ

ସାହାର୍ଯ୍ୟ ମିଳନ୍ତା କି ଭାବିଲା କାଳକୁ

    ଚା' ଚାରିକପ୍ ବରାଦ କାଳ

ରାଗ ଉଠିଥିବ ପଞ୍ଚମ ରାଗରେ

ଫଣ ଫଣ ଭଣ ଭଣ ରୋଷେଇରେ

ମିଛି ମିଛିକା ମଲ୍ଲି ଫୁଲିଆ ହସ ଫୁଟେଇ

ନମସ୍ତେ ମୁଦ୍ରାରେ ଥୋଇ ବଢେଇ ବଳେଇ

ଅଳ୍ପ ଟିକେ ଖାଇ ଦେଇ ଯିବାକୁ ଉସୁକେଇ

ହାଏ ରେ ! ଜୀବନ

ନାଟକରେ ଭରପୁର ରୁପାନ୍ତର

ଲୁଚେଇ ଚୁବେଇବାକୁ ପଡ଼େ ଛଳନାର ଚେନାଚୁର


ସମସ୍ୟା ସରିବା ବେଳକୁ

     ଅନ୍ୟଗୋଟେ ମୁଣ୍ଡ ଟେକିଥିବ

ସମାଧାନ ପନ୍ଥା ମିଳିବା କାଳକୁ

     ସମସ୍ୟାର କଣ୍ଟା ମୁନିଆ ସାଜିଥିବ

ନାରୀ ଜୀବନ କ'ଣ ତ୍ୟାଗ ସମର୍ପଣ

ସକାଳୁ ସଞ୍ଜ ଖାଲି ସମର୍ପିତ ତା'ର କାଚ କଙ୍କଣ

ମନ କୋଣେ ସାଇତା ଥାକ ଥାକ ଅନୁଶୋଚନା

କେହି ଜଣେ ବି ଆଉଁଶିବନି 

ମନ ତଳର ଅବଚେତନ ଶୋକକୁ

କେହି ଜଣେ ବି ଚିମୁଟି ଦେବନି 

ବିଚରା ତ୍ୟାଗର ଜିଅନ୍ତା ଦେବୀ

ତେ'ର ତିଅଣ ବାର ଭଜା ରାନ୍ଧି

ନିଜେ ଖାଇବା ବେଳକୁ 

କଂଚା ଲଙ୍କା ଆଚାର 

ଅନ୍ୟକୁ ଖୁଆଇ ତୃପ୍ତ ମା' ଅନ୍ନପୂର୍ଣ୍ଣ।

ମୁଁହରେ ଆତ୍ମତୃପ୍ତିର ଅତୁଲ୍ୟ ସ୍ଵାକ୍ଷର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy