STORYMIRROR

Panchanan Jena

Tragedy

4  

Panchanan Jena

Tragedy

ପ୍ରଜ୍ଞାଶୀଳତା

ପ୍ରଜ୍ଞାଶୀଳତା

2 mins
7


ଆଜିର ସହରୀ ନଗରୀ ମଣିଷ

ମୋବାଇଲ୍ କଂପୁଟର ପରଦାରେ ବନ୍ଧା

ଇଣ୍ଟରନେଟ୍ ଡିଜିଟାଲ୍ ପ୍ରେମରେ ଛନ୍ଦା



ସୁଖ ସୁବିଧାର ଅତ୍ୟାଧୁନିକ ଭ୍ରମରେ

ଫସି ଯାଇଛି

ଟଙ୍କା ପାହାଡ଼ ବିଳାସ ବ୍ୟସନ ଜାଲରେ

ଛନ୍ଦି ଯାଇଛି

 ବୈଶିକ ମାୟା ମରିଚିକା ବଳୟରେ

ଭୂଲି ସାରିଛି

ଅମୃତର ସ୍ଵାଦ ସନ୍ତୋଷରୁ କୋଶେ ଦୂର

ନିର୍ଜନ ଦୀପରେ ନିର୍ବାସିତ ଜୀବନ ଛାର

ଦିଆସିଲି ଏପାର୍ଟମେଣ୍ଟରେ କଏଦୀ ବୀର


ବିଜ୍ଞାନ ବଳରେ ସିଦ୍ଧି

ପ୍ରଯୁକ୍ତି ବିଦ୍ୟାରେ ପ୍ରସିଦ୍ଧି

କୃତ୍ରିମ ବୁଦ୍ଧିମତା ବୈଶାଖିରେ

ବିଶ୍ଵର ମାଲିକ ମଣୁଛି

ମହାବିଶ୍ୱକୁ ହାତମୁଠାରେ ବାନ୍ଧିଛି

ଜାଣି ବି ଅଜଣା

କିଚକ ବାହୁବଳେ ବିରାଟ ରାଜ୍ୟର ଅନ୍ତ

ଚାଣକ୍ୟ ନୀତିରେ ମଗଧ ରାଜ୍ୟ ଅନନ୍ତ


ଅହମିକାରେ ଅଣଦେଖା କରୁଛି

 ପକୃତିର ନୈସର୍ଗିକ ସ୍ଥିତି

ସନ୍ଧାନ ବଳରେ ହେୟଜ୍ଞାନ କରୁଛି

ମଧୁମୟ ସୃଷ୍ଟିର ଉତ୍ପତ୍ତି

ମଦମତ୍ତ ଆବୃତ୍ତି ପ୍ରବୃତ୍ତିରେ ମାନୁନି

ଦୟାମୟ ବିଶ୍ବବିହାରୀଙ୍କ ଅବସ୍ଥିତି


ଶୀତତାପ ନିୟନ୍ତ୍ରିତ ଘରେ ଯନ୍ତ୍ର ମଣିଷ

ସୂର୍ଯ୍ୟ କିରଣ ପଶି ପାରୁନି

ଇଟା ମାର୍ବଲ କାଚ ଘରେ ବନ୍ଦୀ ଜୀବନ

ଜହ୍ନମାମୁଁ ବାଟ ପାଉନି


ନଦୀର କୁଳୁକୁଳୁ ନାଦ ଛନ୍ଦ ବୁଝି ପାରୁନି

ଅଦିନ ଶ୍ରାବଣର ପ୍ରୀତିଭଛୁଳା ଟୁପୁର୍ ଟାପୁର୍ ଶୁଣି ପାରୁନି

ଉଦୁଉଦିଆ ବୈଶାଖର ଜ୍ବାଳା ଜାଣି ପାରୁନି

ଅସ୍ତଗାମୀ ସୂର୍ଯ୍ୟର ବର୍ଣ୍ଣାଳୀରେ ବୁଡି ପାରୁନି

ରୂପା ମାଛଙ୍କର ଜହ୍ନଉଦିଆ ନାଚ ଦେଖି ପାରୁନି


ଅସୂର୍ଯ୍ୟମ୍ପଶ୍ୟା ପାଲଟିଛି 

ଧରାକୁ ସରା ମଣୁଛି ମୂଢ଼ ନାୟକ

ଧରଣୀକୁ ତରଣୀ କରୁଛି ମୂକ ନାୟକ

ମହାବିଶ୍ଵର ଭାବ ବିଭବକୁ ଉପେକ୍ଷା କରୁଛି

ମତ୍ତ ଚାୟକ


ଆତ୍ମରାଗର ମୂର୍ଚ୍ଛନାରେ ଅହଂକାର ଲୁଚିଛି

ଆତ୍ମପ୍ରଚାର ପ୍ରସାରରେ ଅସହାୟତା ଦିଶୁଛି

ଆତ୍ମଗର୍ବର ହୁଙ୍କାର ଚିତ୍କାରରେ ଭୀରୁତା ଖେଳୁଛି


ଅମୃତସ୍ୟ ପୁତ୍ରାଃ ଭୂଲି ଗଲାଣି ବୋଧେ

ଅମୃତ ଚାଖିବ କଣ

ବିଷ ଉଦଗିରଣରେ ମଦମସ୍ତ

ପିଉଷ ପିଇବ କଣ ?

ଆତ୍ମବଡିମା ବଖାଣିବାରେ ସିଦ୍ଧହସ୍ତ

ଶାନ୍ତି ସନ୍ଧାନିବ କଣ ?

ଆତ୍ମବିଭବରେ ବିଭୋର ଅନ୍ଧଭକ୍ତ

ସୁଖ ସାଉଁଟିବ କଣ ?


ତର୍କରେ ବିତର୍କରେ ସତ୍ୟ ଖୋଜୁଛି

କଳହ ପ୍ରୀୟ ସାଜିଛି

ଅର୍ଥରେ ଅନର୍ଥ କରି ସୁଖ ଖୁଣ୍ଟୁଛି

ଝୁଣ୍ଟୁଛି ଅଗ୍ନିଶର୍ମା ବନୁଛି


ଏକପଟେ ଆକାଶ ଭେଦି ମହତ୍ତ୍ଵାକାଂକ୍ଷାର ଇସ୍ତାହାର

ଅନ୍ୟ ପଟେ ଭୋକିଲା ଶୋଷିଲା ପେଟ ପାଇଁ ହାହାକାର


ଦୁଇଟି ଦୁନିଆରେ ସନ୍ତୁଳି ହେଉଛି ଜୀବନ

ବିତ୍ତଶାଳୀର କଳା ଚଷମା ତଳେ ଖେଳେ

ଆଧୁନିକ ସଭ୍ୟତା

ବୁଭୁକ୍ଷୁ ଜନତାର ହାଡୁଆ ପଞ୍ଜରା ତଳେ

ଦିଶେ ନାହିଁ ଦୈନ୍ୟ ଦରିଦ୍ରତା


ଏହି ମଣିଷକୃତ ଫାଟକୁ ଯୋଡିବାକୁ ହେବ

ବିଦ୍ୟା ଅବିଦ୍ୟା ସମୀକରଣ ମଧ୍ୟରେ

ଜ୍ଞାନତତ୍ତ୍ଵ କର୍ମତତ୍ତ୍ଵ ସମନ୍ବୟ ଢାଞ୍ଚାରେ

କରୁଣା ଦୟା ଦାନ ଦକ୍ଷିଣା ଧର୍ମରେ

ତ୍ୟାଗ ସହିଷ୍ଣୁତା ବଳିଦାନର ମର୍ମରେ


ଶୋଇଥିବା ମାନବତାକୁ ଜଗେଇବାକୁ ହେବ

ଚେଇଁ ଶୋଇଥିବା ନଷ୍ଟ ମଣିଷକୁ

ଫେରେଇ ଆଣିବାକୁ ହେବ

ପ୍ରକୃତିର ଆହ୍ଲାଦଦାୟିନୀ କୋଳ କଲ୍ଲୋଳକୁ

ପଞ୍ଚତତ୍ତ୍ୱର ମହିମା ମଣ୍ଡିତ ତତ୍ତ୍ଵ ଉପାଦାନକୁ


ବୁଝେଇ ଦେବାକୁ ହେବ

ଆଧୁନିକତାର କୁହୁଡି ପ୍ରଗତି ନୁହଁ ବିପତ୍ତି

ଅତ୍ୟାଧୁନିକ ଭୋଗ ବିଳାସ ମୁକତି ନୁହଁ ଦୁର୍ଗତି

ମିଛ ଆତ୍ମବଡିମା ଶାନ୍ତି ପ୍ରଶାନ୍ତି ନୁହଁ ଅଧୋଗତି


ପ୍ରକୃତିର ଅନୁଧାବନ

ପରିବେଶର ସନ୍ତୁଳନ

ସୁସ୍ଥ ମନ ତଳେ ମୁକ୍ତ ଚିନ୍ତନ ହିଁ

ବ୍ୟସ୍ତତା ଭିତରେ ବୌଦ୍ଧିକତା

ଆଧୁନିକତା ଭିତରେ ଶାଳୀନତା

ଜଞ୍ଜାଳ ଭିତରେ ପ୍ରଜ୍ଞାଶୀଳତା


Rate this content
Log in

Similar oriya poem from Tragedy