କେଜାଣି କି ବାସ୍ନା ଥିଲା ବୋଉର ହାତରେ
କେଜାଣି କି ବାସ୍ନା ଥିଲା ବୋଉର ହାତରେ
ଗରଭ ଗୃହରେ ଇଶ୍ଵର ଦାନରେ
ତୁହି ତ ଖୁଆଉ ଥିଲୁ
ଗର୍ଭ ଯନ୍ତ୍ରଣାକୁ ସହାସ୍ୟେ ସହି ତୁ
କୋଟି ନିଧି ପାଇ ଥିଲୁ |
କୋଳରେ ଧରି ତୁ ସ୍ନେହ ଦାନ କରି
ବୁକୁର ଅମୃତ ଦେଲୁ
ଭାବେ ବେଳେ ବେଳ ନ କହିଲା କଥା
କେମିତି ତୁ ଜାଣୁ ଥିଲୁ |
ଅଭାବି ସଂସାରେ ଭାବ ଦରିଆରେ
ସଦା ତୁ ପହଁରୁ ଥିଲୁ
ତୋ ହାତ ରନ୍ଧାରେ କି ଅମୃତ ଥିଲା
ମନ ଜିଣି ନେଉ ଥିଲୁ ।
ପଚ଼ାଶେ ତେଲ ରେ ମମତା ହାଣ୍ଡିରେ
ତୋ ରନ୍ଧା ସୁଆଦ କଥା
ମନେ ଲେଖିଅଛି ଅଭୁଲା କାହାଣୀ
ଭାବନା ମୋ ବାସ୍ନା ମଖା |
ତୋ ହାତ ପଖାଳେ ସନ୍ତୋଷର ସୁଖ
ଶାଗ ଭଜା ତୋ ଅମୃତ
ତୋ ରୋଷେଇ ଘରେ ତୋତେ ଦେଖି ଦେଲେ
ଲାଗଇ ପୁତ ପବିତ୍ର |
ଟୋପେ ତେଲ ଦେଇ ସନ୍ତୁଳା ଫୁଟାଉ
ଘର ତ ମହକି ଯାଏ
ବଡ଼ିଚୁରା ଆଉ ବାଇଗଣ ପୋଡ଼ା
ଭୋକ ଯେ ବଢାଉ ଥାଏ |
ବିନା ମସଲା ରେ ସ୍ନେହ ସୋହାଗରେ
ସର୍ବ ମନ ଜିଣୁଥିଲୁ
ମନ ଜାଣି ତୁହି ନିଜ ସାମର୍ଥ୍ୟରେ
ସାଦରେ ପରଶୁ ଥିଲୁ |
ସେଦିନ ହଜିଛି ଆଜି ଶଯ୍ୟାଶାୟୀ
ଯେତେ ରାନ୍ଧଣା ରାନ୍ଧୁଛି
ତେଲ ମସଲାର ଅଭାବ ନାହିଁ ଲୋ
(ହେଲେ)ସେ ବାସ୍ନା ଆଜି ଖୋଜୁଛି ।
ତୁ ଶେଯରେ ଶୋଇ କି କଥା ଭାବୁଛୁ
ପାଟି ସୁଆଦ ଖୋଜୁଛି
ହେଲେ ତୋହ ପରି ରାନ୍ଧି ପାରୁନି ଲୋ
ମନେ ଦୁଃଖ ଯେ ଭରୁଛି l
ତୋର ହାତରନ୍ଧା ସାତ ସପନ ଲୋ
ମମତା ଅମୂଲ ମୂଲ
ଶାଗ ପଖାଳ ତୋ ତୃପ୍ତିର ମନ୍ଦିର
ତୁ ଯେ ସ୍ନେହ ସୌଦାଗର ।
ତୋ ମିଠା କଥାର ମଧୁରତା ଖୋଜେ
ଖୋଜେ ତୋର ହାତ ରନ୍ଧା
ସେ ମହକ ମୋତେ ଜଡାଇ ରଖିଛି
ତୋ ସ୍ନେହରେ ମୁଁ ଯେ ବନ୍ଧା |
ବୋଉ ତୋ ହାତର କାଉଁରୀ ପରଶେ
ଲିଭି ଯାଉଥିଲା ବ୍ୟଥା
ତୁହି ଥିଲୁ ପରା ଲକ୍ଷ୍ମୀ ଠାକୁରାଣୀ
ରାନ୍ଧଣାରେ ଥିଲା ମିଠା ।
ତୋ ହାତରନ୍ଧାର ମହକରେ ପରା
ଭୋକ ବଢି ଯାଉ ଥିଲା
ହଜିଛି ସେ ଦିନ ବଦଳିଛି ସ୍ଵାଦ
ପାଇବା ସପନ ହେଲା |
ହେଲେ ତୁ ଏମିତି ଉପସ୍ଥିତ ରହି
ମନ ରେ ବଳ ଦେଉ ଥାଆ
ତୋ ପରି ସୁଆଦ ମୋ ରନ୍ଧାରେ ନାହିଁ
ହେଲେ ଖୁସୀ ହେଉ ଥାଆ |
