ମାପିଛକି କିଏ ଲୁହ ଗଭୀରତା
ମାପିଛକି କିଏ ଲୁହ ଗଭୀରତା
ମାପିଛକି କିଏ ଝରି ଯାଉଥିବା
ଲୁହର ଗଭୀରତାକୁ
ଯାତନା ମନର ଛାତିତଳ କୋହ
କମ୍ପନର ତୀବ୍ରତାକୁ।
ମାପିଛକି କିଏ ମାଆ ପଣତର
ବାତ୍ସଲ୍ୟର ମମତାକୁ
ବାଲ୍ଯ ଚପଳତା ପିଲା ଦିନ କଥା
ଚହଲା ଚଗଲାମିକୁ।
ମାପିଛକି କିଏ ପ୍ରଥମ ପ୍ରେମର
ପୁଲକର ଆବେଗକୁ
ପାଗଳ ପଣର ନିରବିତ ମନେ
ବିନିଦ୍ର ସେ ରଜନୀକୁ।
ମାପିଛକି କିଏ ଜହ୍ନ ଦେହେ ଥିବା
କଳଙ୍କ କଳା ଦାଗକୁ
ନିଶବ୍ଦ ପ୍ରହରେ କଇଁ ହୃଦୟର
ନିସର୍ତ୍ତ ଅନୁରାଗକୁ ।
ମାପିଛକି କିଏ ଝଡା ପତରର
ବିବର୍ଣ୍ଣର ଉତ୍ତାପକୁ
ଭୂତଳେ ପତିତ ସୁପ୍ତ ସଂଗୋପିତ
ସାୟାହ୍ନର ନିନାଦକୁ।
ମାପିଛକି କିଏ ମନର ପୃଷ୍ଠାରେ
ଅଧା ଲେଖା କାହାଣୀକୁ
ଅମାନିଆ ପଣେ ଅଲିଭା କାଳିରେ
ଆଖିର ଅ
ଙ୍ଗୀକାରକୁ।
ମାପିଛକି କିଏ କୁଆଁରୀ ମନରେ
ପୂର୍ଣ୍ଣମୀ ଜହ୍ନ ରାତିକୁ
କାର୍ତ୍ତିକ ମାସର ପାହାନ୍ତି ପହରେ
ଜାଡରେ ଭରା ତାତିକୁ।
ମାପିଛକି କିଏ ମଥା ସିନ୍ଦୂରରେ
ନାଲିରଙ୍ଗ ମହତ୍ତ୍ଵକୁ
ଲିଭି ଯାଇଥିବା ଖାଲି କପାଳରୁ
ଶୂନ୍ୟ ସିନ୍ଥି ଦୂରତାକୁ।
ମାପିଛକି କିଏ ସାଗର ବକ୍ଷରେ
ଉଠିବା ନୀଳ ଢେଉକୁ
ସ୍ବାଭିମାନ ଭରା ଶବ୍ଦ ଲହରୀରେ
ସୁଉ ସୁଉ ଗର୍ଜନକୁ ।
ମାପିଛକି କିଏ ଦୂର ତାଳବଣେ
ବାଇଚଢେଇ ବସାକୁ
ବରଷା, ବତାସ, ଝଡ,ତୋଫାନରେ
ଝୁଲୁଥିବା ଦୁର୍ଦ୍ଦଶାକୁ।
ମାପିଛକି କିଏ ଜୀବନ ଯଜ୍ଞରେ
ଯୌବନର ଆହୂତିକୁ
ପ୍ରଣୟ ଅଗ୍ନିର ବିଶ୍ବାସ ଘୃତରେ
ପ୍ରୀତିର ପୂର୍ଣ୍ଣାହୂତିକୁ।
ମାପିଛକି କିଏ ସମୟ ତୁଠରେ
ପାହାନ୍ତି ତାରା ବେଗକୁ
ଅଧା ଦେଖା ସେଇ ଆଖି ସପନରେ
ସରିବା ଶେଷ ରାତିକୁ।