ହେ ଜଗନ୍ନାଥ
ହେ ଜଗନ୍ନାଥ
ହେ ଜଗନ୍ନାଥ, ତୁ ପରା ଜଗତର ନାଥ, ଜଗନ୍ନାଥ .....
ଶୁଣିଛି ତୋର କେତେ ମହିମା,
ପଢିଛି ତୋର ସେ ସଂସ୍କୃତିରୁ କିଛି
କନ୍ଧ ଠୁ ହେଉ ଅବା ନୀଳାଚଳ ଯାଏଁ
ଉଡେ ଖାଲି ତୋରି ଗାଥା ।
ଯଦି ବା ମୁଁ ନୁହେଁ ସମ୍ପୂର୍ଣ୍ଣ ନାସ୍ତିକ,
ହେଲେ ହୋଇପାରିନି ବି ପୂରା ଆସ୍ତିକ,
ତୋ ଭକ୍ତି ଭାବନା ବନ୍ଧନରେ
ଅଭାବୀଟାଏ ମୁଁ,
ତୋ ଶ୍ରଦ୍ଧାର ଶରଧା ବାଲିରୁ
କେବେ ବି ଗୋଟେଇନି
ଆଶାର ରେଣୁକୁ ।
ଅସହାୟରେ କେବେ ବି
ହାତ ପତାଏନି ତୋ ଆଗେ,
ତୋ ବଡ ଦେଉଳେ ମୁଣ୍ଡିଆ ମାରିଛି ସତ
ହେଲେ ମାଗୁଣି କରିନି କେବେ ।
ତୋର ଏ ଭକ୍ତି ସାଗରରେ
ଜଳକଣିକାଟେ ହୋଇ ପାରିନି ମୁଁ,
ଜୟ ଜଗନ୍ନାଥ କହିଛି ସତ
ହେଲେ ତୋ ନାମ ଜପିନି କେବେ ମୁଁ ।
ଛାତ୍ର ଜୀବନରେ ବାପାଙ୍କ
ସାହିତ୍ୟିକ ପରିଭାଷାରେ ଖାଲି ଲେଖିଛି ତୋ ରଥଯାତର ପ୍ରବନ୍ଧଟି,
ହେଲେ....
ତୋ ବଡଦାଣ୍ଡର ବଡ ଯାତରେ
ତୋ ରଥ ଦଉଡିକୁ କେବେ
ଛୁଇଁନି ମୁଁ,
ହାତ ପାତି କେବେ କିଛି ମାଗିନି ମୁଁ ।
କାହିଁକି ବା ମାଗିଥାନ୍ତି ...
ତୁ ପରା ଜାଣି ପାରୁ ମନ କଥା,
ତୁ ପରା ପଢିପାରୁ ଅନ୍ତରର କଥା ।
ମାଗିବା ଆଗରୁ ପରା ତୁ
ଦେଇଥାଉ, ଶୁଣିଛି ତୋର ଏ ଗାଥା ।
ହେଲେ ତୋର ସେ ସ୍ୱର୍ଗଦ୍ୱାରକୁ ଯାଇଛି ମୁଁ,
ଯାଇଛି ମୋର କୁନି ଭାଇ ।
ମୋ ବାପା, ବଡବାପାଙ୍କ ଆତ୍ମାକୁ
ସ୍ୱର୍ଗ ଯାଏଁ ଦେଖାଇଛି ରାସ୍ତା
ତୋର ସେ ସ୍ୱର୍ଗଦ୍ୱାର ।
ଜଗତ କହେ ତୁ ଖାଲି ଦେଇ ଶିଖିଛୁ
ହେଲେ ମୁଁ ତ ଭାବେ ତୁ ଖାଲି
ନେଇ ଶିଖିଛୁ, କେବେ ନଡିଆ ତ କେବେ ଆଉ କିଛି ।
ତୁ ଖାଲି ରାସ୍ତା ଦେଖେଇ ଶିଖିଛୁ
ତୋର ସେ ସ୍ୱର୍ଗଦ୍ୱାରକୁ ।
ଆଉ କିଛି ବି ନୁହେଁ .....
