ସ୍ୱାର୍ଥ ଗଳିର ନାୟକ
ସ୍ୱାର୍ଥ ଗଳିର ନାୟକ
ସ୍ୱାର୍ଥ ଗଳିର ନାୟକ ତୁମେ
ଦେଇଚାଲିଛ ଅକଥନୀୟ ଆଘାତ
ମେଞ୍ଚା ମେଞ୍ଚା ଅବିଶ୍ୱାସର ଆଉ ପ୍ରତାରଣାର ।
ତୁମର ଅନିସନ୍ଧିତ୍ସୁ ଆଖି
ଘୁରି ବୁଲୁଛି ନୂଆ ନୂଆ ଫୁଲ
ଯାହାର ରୂପ ଆଉ ମହକ
ଆକର୍ଷିତ କରିପାରୁଥିବ ତୁମର ଆଶାୟୀ ହୃଦୟକୁ
ତୃପ୍ତି ଢାଳିଦେଉଥିବ ତୁମ ଖିଆଲ ମନକୁ ।
ଅତି ଚତୁରତାରେ
ରସ ଶୂନ୍ୟ ପ୍ରୀତି ଅନ୍ଧପୁଟୁଳିରେ
କାରାରୁଦ୍ଧ କରିସାରିଛ ନାୟିକାର ମନପ୍ରାଣକୁ
ମିଛ ଆବେଗର ବଳୟ ଭିତରେ
ଅଣନିଃଶ୍ଵାସୀ କରିପାରିଛ ସମଗ୍ର ଶରୀରକୁ ।
ଛଳନାରେ ରଙ୍ଗୀନ କରିଚାଲିଛ
ଜୀବନର କିଛି ଭାବନାକୁ
ସମୟର ଶାମୁକାରୁ ସାଉଁଟି
ମାଳିଟିଏ ଗୁନ୍ଥିବାର ଅଦମ୍ୟ ଅଭିଳାଷକୁ ।
ଋତୁ ପରି ପରିବର୍ତ୍ତନରେ
ସିଦ୍ଧହସ୍ତ ମନ ତୁମର
ଅନ୍ୱେଷଣ କରୁଛି ନୂତନ ଏକ ଉନ୍ମେଷକୁ
ପରାଜିତ ହେବାର ଆଶଙ୍କାରେ
ଶଙ୍କିତ ନ ହୋଇ
ଭାବିନେଇଛ ପୁନର୍ବାର ଫେରିଆସିବ
ତୁମ ପାଇଁ ପ୍ରତୀକ୍ଷାରତ ସୌନ୍ଦର୍ଯ୍ୟ ଶୂନ୍ୟ
ପୂର୍ବ ପରିଚିତ ରଙ୍ଗହୀନ ନାୟିକା ନିକଟକୁ।
ତୁମର ଏ ରହସ୍ୟ !
ସତରେ ଆଚମ୍ବିତ କରିଦେଉଛି ନାୟିକାକୁ
ତଥାପି ବାଣ୍ଟିଚାଲିଛି ପ୍ରୀତି ସୁଧା
ଅଜେୟ ନାୟିକାର ମୁକୁଟ ନାଇ
ପ୍ରମାଣିତ କରିବା ପାଇଁ ଆତ୍ମବିଶ୍ୱାସକୁ ।