ଅସମତା
ଅସମତା
ପାଞ୍ଚ ଟଙ୍କିଆ ପାଉଁରୁଟି ପାଇଁ
କିଏ ଲାତ ବିଧା ଖାଏ
ତ କିଏ ଚୋର ଆଖ୍ୟା ପାଏ ;
ଆଉ କିଏ ହଜାରେ ଟଙ୍କାର ଖାଦ୍ୟ
ଅଯଥାରେ ଫିଙ୍ଗିଦିଏ ।
ଲୁଗା ଖଣ୍ଡିଏ ନାହିଁ ବୋଲି
କିଏ ସାତସିଆଁ ଲୁଗାକୁ
ଦେହରେ ଗୁଡେ଼ଇ ଦିଏ
ତ କିଏ ପର ପାଖେ ହାତ ପତାଏ,
ଆଉ କିଏ ଚିରା ଫଟା ପୋଷାକ
ହଜାର ଟଙ୍କା ଦେଇ କିଣି ଥାଏ ।
ଖାଦ୍ୟ ଅଭାବରେ କାହା ପେଟ
ପାତଳକୁ ଲାଗି ଯାଇଥାଏ ତ
ଆଉ କିଏ ପେଟ ବଢ଼ିଗଲା ବୋଲି
ଜିମ୍ ଯାଇ ଝାଳ ବୁହାଏ ।
କାହାକୁ ମାଛ ଭାତ ରୁଚେନି
ତ ଆଉ କାହା ପାଇଁ ତାହା ସାତ ସପନ,
କିଏ ଘରେ ବସି ଲକ୍ଷପତି
ତ ଆଉ କିଏ ପର ଘରେ ମାଜେ ବାସନ ।
କିଏ ଜହ୍ନ ଦେଖିବାକୁ ଛାତ ଉପରେ ଚଢେ
ତ ଆଉ କିଏ ଘର ଭିତରୁ ହିଁ ଦେଖିପାରେ ।
କାହା ପିଲା ଜନ୍ମଦିନ ପାଳିବ ବୋଲି ସ୍କୁଲ୍ ଯାଏନି
ତ କାହା ପିଲା ଜନ୍ମ ଦିନରେ ଗାଈ ଚରେଇ ଯାଏ ।
କାହିଁକି ଏ ଅସମତା ପ୍ରଭୁ?
ବୋଧହୁଏ ସମସ୍ତଙ୍କୁ ସମାନ କରିଦେଲେ
ତୁମକୁ ଆଉ କେହି ପଚାରିବେନି।
ସେଥିପାଇଁ ତ ତୁମର ଏ
ଅସମତା ଯୋଜନା,
ତୁମ ଯୋଜନାକୁ ଅନେକ ଲୋକ
ତୁମ ଲୀଳା ବୋଲି କୁହନ୍ତି ।
