ଆଉ ଜଣେ ପ୍ରତିମା ନାୟକ
ଆଉ ଜଣେ ପ୍ରତିମା ନାୟକ
ଗୋଧୂଳି ସମୟ ସେ ଯେ
ଗାଈଗୋରୁ ଫେରୁଥିଲେ ଘର,
ଅସ୍ତଗାମୀ ଫିକା ସୂର୍ଯ୍ୟ
ବୁଣୁଥିଲା ରକ୍ତବର୍ଣ୍ଣୀ କର ।
ପକ୍ଷୀ କୁଳ ରାବୁଥିଲେ
ଭାଙ୍ଗିଥିଲା ସନ୍ଧ୍ୟା ନୀରବତା,
ପିଲାମାନେ ଖେଳୁଥିଲେ
ବୁଢ଼ାବୁଢ଼ୀ ହେଉଥିଲେ କଥା ।
ଯାଉଥିଲି ଚୁପ୍ ଚାପ୍
ହଠାତ୍ ମୋ ପଡ଼ିଲା ନଜର,
ପୁରୁଣା ବାନ୍ଧବୀଟିଏ
ଆସୁଥିଲା ହୋଇ ତରବର ।
ରହିଗଲା ଦେଖି ମୋତେ
ଦୁହିଁଙ୍କର ମିଶିଲା ନୟନ,
କଲେଜରେ ପଢ଼ୁଥିଲୁ
ତାକୁ ଦିନେ ଦେଇଥିଲି ମନ ।
ପଚାରିଲି ଭଲ ଅଛ?
ଫିକ୍ କିନା ହସିଦେଲା ଧିରେ,
ବଦଳିଛି ହସ ତାର
ଫୁଟି ଦିଶେ ଶୁଖିଲା ଅଧରେ ।
ବୟସର ଦାଗମାନ
ଅଙ୍ଗେ ଅଙ୍ଗେ ଆସ୍ଥାନ ଜମେଇ,
ଖେଳୁଥିଲେ ଲୁଚକାଳି
ଶୃଙ୍ଗାରର ପଛେ ଲୁଚିଯାଇ ।
ଦିନ ଥିଲା ସ୍ବପ୍ନ ଥିଲା
ପଢ଼ୁଥିଲା ଅର୍ଥନୀତି ପାଠ,
ବାପା ଥିଲେ ଭାଇ ଥିଲା
ଥିଲା କେତେ ବଞ୍ଚିବାର ବାଟ ।
କୋମଳାଙ୍ଗୀ ଲଳନା ସେ
ଥିଲେ ତାର କେତେ ପ୍ରଶଂସକ,
ମୁଁ ଯେ କଳା କଳେବର
କେମିତି ତା ହୁଅନ୍ତି ପ୍ରେମିକ?
କେବେ ମୁହିଁ କହିନାହିଁ
ଭଲ ପାଏ ବୋଲି ମୁହଁ ଖୋଲି,
ପାଠ ପଢା ସରିଗଲା
ମୋତେ ଛାଡ଼ି ଚାଲିଗଲା ଦିଲ୍ଲୀ ।
ଏତେ ଦିନ ପରେ ତାକୁ
ଦେଖିଲି ଯେ ମୋ ଛୋଟ ସହରେ,
ତା ଠାରୁ ମୁଁ ଜାଣିଲି ସେ
କାମ କରେ କିରାଣୀ ଭାବରେ ।
ଚାଲିଗଲେ ବାପା ଭାଇ
ମହାମାରୀ ଖାଇଗଲା ମୁଣ୍ଡ,
ପେଟ ଚାଖଣ୍ଡକ ପାଇଁ
ବୁଲିଲା ସେ କେତେ ଘରଦାଣ୍ତ ।
ଶେଷରେ ସେ ଠିଆ ହେଲା
କାମ କରି ପୋଷିବ ତା ପେଟ,
ସରକାରୀ ନୁହେଁ ତାର
ଚାକିରୀଟା ପୁରା ପ୍ରାଇଭେଟ ।
ମହାମାରୀ ଲୁଟିନେଲା
ରୂପ ରଙ୍ଗ ଦେହ କୋମଳତା,
ସ୍ୱପ୍ନ ସବୁ ମରିଗଲା
ଭୁଲିଛି ସେ ବାହା ହେବା କଥା ।
ଦି ପଦ କଥାରେ ତାର
ଆଖି ମୋର ଆସିଲା ଜକେଇ,
ବିଦାୟ ନେଇ ମୋ ଠାରୁ
ଚାଲି ଗଲା ମୁଣ୍ଡକୁ ସେ ନଇଁ ।
ପ୍ରତିମା ନାୟକ ପରି
ଭାରି ଦୃଢ଼ ମନୋବଳ ତାର,
ଚାଲିଗଲା ହସି ହସି
ଆଖିରେ ମୋ ଲୁହ ଧାର ଧାର ।
