STORYMIRROR

Bidyadhar Mantry

Abstract Romance Classics

4  

Bidyadhar Mantry

Abstract Romance Classics

ମାନଭଞ୍ଜନ

ମାନଭଞ୍ଜନ

2 mins
308


ନଟବର ନାଗରଙ୍କ ଥିଲା ମାନଭଞ୍ଜନ ବ୍ୟାପାର 

ଶ୍ରୀରାଧାଙ୍କ ଅଭିମାନ ଜଣାଇଲେ ସଖି ସହଚର

ରାଧା କୁଞ୍ଜ ବିନା ଅନ୍ୟ ଗତି ନାହିଁ କେଉଁ ଠାରେ 

ରସ ଭରା କଥା ରସିକ କହିଲେ ଶ୍ରୀରାଧା ପାଖରେ

ଶ୍ରୀରାଧା ପ୍ରାୟତଃ ଜ୍ଞାତ,ସେ ରସିକ କେତେ ରସ ପ୍ରିୟ 

ସବୁ ଠାରେ ଥାଇ, ନ ଥିବା ହିଁ ରସିକର ଅଭିନୟ

ରୂପ ଗୁଣ ଆଭୂଷଣର ପ୍ରଶଂସା ସହ ଅନୁନୟ

ମାନଭଞ୍ଜନର ସୂତ୍ର କ୍ରମେ ବିଧି ବଦ୍ଧ ଗ୍ରହଣୀୟ

ଦ୍ଵାପରର ମାନଭଞ୍ଜନର ସୂତ୍ର ପୁଣି ଶ୍ରୀକ୍ଷେତ୍ରରେ

ରସଗୋଲା ଦ୍ଵାରା ରସିକ ପ୍ରଥମ ମାନଭଞ୍ଜନରେ


ମାନିନୀ ରାଧିକା ଅବା ଅଭିମାନୀ ଲକ୍ଷ୍ମୀ ଠାକୁରାଣୀ

ନିଜ ପ୍ରିୟ ପୁରୁଷ ସମୀପେ ନିଜେ ହିଁ ଅଭିମାନିନୀ 

ପ୍ରେମିକ ପ୍ରବର ମିଠା ପ୍ରତିଶ୍ରୁତି ଧାରେ ଅନୁନୟ 

ମାନଭଞ୍ଜନ ବିନା ପରାଣ ସହଜେ ହୁଏ ଅଥୟ

ମୁଖେ, ପ୍ରାଣ ସହି ପୁଣି ମାନମୟୀ ସମ୍ବୋଧନ ଧାରେ

ଅଭିମାନ ତେଜି ପ୍ରକୃତିସ୍ଥ ଭାବ ଆଶା କଲେ ଧିରେ

ପ୍ରେମିକ ଭାବରେ ପୁଣି ନିଜ ଦୋଷ ସ୍ଵୀକାର ପୂର୍ବକ

ପ୍ରେମିକାକୁ ସୁହାଇଲା ଭଳି ବାଣୀ ବ୍ୟକ୍ତ ବି ଅନେକ


ଅଦିନିଆ ମେଘ ସମ ଅଭିମାନ ଯେବେ ଆବିର୍ଭାବ

ଅଭିମାନ ନିକଟରେ ପ୍ରେମିକର ସମର୍ପଣ ଭାବ

ରୂପସୀ ପ୍ରେୟସୀ ମୂଖ୍ୟ ପୁରୋଧା ଅଭିମାନର

ଅଳଙ୍କାର ସମ ଅଭିମାନ ସତେ ବା ଗଳାର ହାର 

ପ୍ରେମିକାର ପରିଚୟ ପ୍ରାୟ ଅଭିମାନିନୀ ନାୟିକା

ପ୍ରଣୟ ବ୍ୟାକୁଳ ପ୍ରେମିକ ପ୍ରବର ପ୍ରାୟ ବୁଝେ ଏକା 

ଅଭିମାନ ଧାରେ ଇଶାରା ନିହାତି ନିଜସ୍ଵ ଭାବନା

ଅବ୍ୟକ୍ତ ପୁଣି ଲୁକାୟିତ ହୃଦୟ-କନ୍ଦର ବେଦନା 

ପ୍ରିୟାର ସେ' ମାନ ଅଭିମାନ ମନ ବେଦନା ସହିତ

ପ୍ରେମ ବିଜଡ଼ିତ ହୃଦୟର ଭାଷା ଆପେ ହୁଏ ବ୍ୟକ୍ତ

ପ୍ରେମିକାର ଅସଲ ଗୁଣବତ୍ତା ହିଁ ଅଭିମାନ ଧାରେ

ପ୍ରେମିକର ପଣ ବି ମାନ ଭଞ୍ଜନ ନୂତନ ସୂତ୍ରରେ 

ପ୍ରେମିକାର କ୍ଷଣସ୍ଥାୟୀ ଅଭିମାନେ,ପ୍ରେମିକ ଅଥୟ

ପ୍ରେମ ଧାରେ ଦୁଇ ପ୍ରେମୀ ଏକ ଆତ୍ମା ଭାବର ପ୍ରତ୍ୟୟ 


ମାନଭଞ୍ଜନ ସହଜେ, ଭାସିଯାଏ କଥାର ଢେ଼ଉରେ

ପ୍ରେମିକ ହାତର ସ୍ପର୍ଶ ଅବା ମିଠା କଥାର ସ୍ରୋତରେ 

ଅମାନିଆ ଢେ଼ଉ ସମାନ ସେ' ଅଭିମାନିନୀ ପ୍ରେମିକା

ଅଭିମାନ ଅଦିନିଆ ମେଘ ପରି ଭାସି ଯାଏ ଏକା 

ବର୍ଷା ବିନା ମେଘ ଯେଉଁ ପରି ମିଳେଇ ଯାଏ ଶୁନ୍ୟରେ

ପ୍ରିୟ ପୁରୁଷର ମିଠା ବାଣୀ ଧାରେ ଅଭିମାନ ଯାଏ ଦୂରେ 

ପ୍ରିୟା ଅବା ପତ୍ନୀ ଅଭିମାନ କେବଳ ପ୍ରେମ ଆଶାରେ

ଅଭିମାନ ସାଥେ ସମ୍ପର୍କର ସେତୁ ଦୃଢ଼ ହୁଏ ଧିରେ 

ସମ୍ପର୍କ ଦୁର୍ବଳର କାରଣ ପୁଣି ଅଭିମାନ ଧାରେ

ହୃଦୟର ଅକୁହା ଭାଷା ବି ଅଭିମାନ ଆକାରରେ

ଅଭିମାନ ବଳେ ଦୃଢ଼-ଆକର୍ଷଣ ଦୁଇଟି ପ୍ରାଣର

ହୃଦୟର ନିବିଡତା ଅଭିମାନ ବଳେ ହିଁ ସାକାର

ଅଭିମାନ ନିକଟରେ ପ୍ରେମିକର ସମର୍ପଣ ଭାବ

ସମ୍ପର୍କର ସୂତା ଖିଅ ଧାରେ ବ୍ୟକ୍ତ କବିତା ଓ କାବ୍ୟ 

ମାନ ଅବା ଅଭିମାନ ସତେ ଅବା ପ୍ରେମିକାର ପ୍ରାଣ

ପ୍ରେମ ଧାରେ ମାନଭଞ୍ଜନ ବି ପ୍ରେମିକର ଦୃଢ଼ ପଣ 

ପ୍ରିୟାର କଷ୍ଟ ଦାୟକ ଭାବନାର ରୂପ ଅଭିମାନ 

ଅଭିମାନ ଭଞ୍ଜନ ପରେ ସୁସମ୍ପର୍କ ଦୃଢ଼ୀକରଣ 

ଅତି ଆପଣାର ପାଖେ ଅଭିମାନ ଏକ ଆବେଗତା 

ସମ୍ପର୍କରେ ଦ୍ୱିଧା ବା ସନ୍ଦେହେ ଅଭିମାନ କହେ କଥା


ଅଭିମାନ ପ୍ରିୟାର ସ୍ଵଭାବ , ମନେଇଲେ ମାନି-ଯିବ

ପ୍ରେମିକା ବା ପତ୍ନୀ, ବିଦିତ ପ୍ରିୟ ପୁରୁଷର ସ୍ୱଭାବ

ଅଭିମାନ ଅଟେ ଅଳଙ୍କାର ଅଭିମାନିନୀ ପ୍ରିୟାର

ଗଭୀରତା ବା ଆବେଗ ଅଭିମାନୀ ହୃଦୟର

ଯୁଗ ଆରମ୍ଭରୁ ହିଁ ଅଛି ଅଭିମାନ କାୟା ବିସ୍ତାରି                 

ପ୍ରେମୀ ଯୁଗଳଙ୍କ ମାନଭଞ୍ଜନ ବିଧେୟ ସର୍ବୋପରି

ମାନଭଞ୍ଜନର ସୂତ୍ର ବିନା ପ୍ରେମ ସମ୍ପର୍କରେ ଫାଟ

ହେ ପ୍ରେମିକ ପ୍ରବର, ଏ ମାନଭଞ୍ଜନ ବି ଏକ ପାଠ!!

ମାନଭଞ୍ଜନ ବି ଏକ କଳା, ଶିକ୍ଷା ନିହାତି ଜରୁରୀ 

ପ୍ରେମିକ ପ୍ରବର ଭାବେ କଳା ଶିକ୍ଷା ହେଉ ସର୍ବୋପରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract