STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ମାଆର ବେଦନା

ମାଆର ବେଦନା

1 min
206


ଭାବି ମୁଁ ପାରୁନି କିପରି କହିବି

   ହୃଦୟ ଅନ୍ତର ଗାଥା

 ସହିକି ପାରୁନି ଦେଖି ବି ପାରୁନି

   ରହିଛି ମୁଁ ନିରବତା।


 ଏ ମର୍ତ୍ତ୍ୟ ଭୁବନେ ଶ୍ରେଷ୍ଠ ତୁ ଧନରେ

   ଚାଲଇ ଟେକି ତୋ ମଥା

 ସମାଜ ଆଗରେ ଚାଲିବା ପଥରେ

   କହିବାକୁ ପଦେ କଥା।


 ଜୀବ ମଧ୍ୟେ ସାର ଗଢ଼ା ତୋ ଶରୀର

    ଈଶ୍ୱରଙ୍କ ବରଦାନ

 ତଥାପି ବାବୁରେ ଅବୁଝା ହେଉ ତୁ

    ହୋଇଥାଉ ବୁଦ୍ଧିହୀନ।


 ଧନୀ କି ଗରିବ ଉଚ୍ଚ ନୀଚ ଭାବ

    ଭାବି ବସୁ ହୃଦୟରେ

 ପର କି ଆପଣା ଅଜାତି ଭାବନା

    କାହିଁ ଗଢୁ ସମାଜରେ ?


 ସ୍ୱାର୍ଥପର ହୋଇ ନିଜ ସ୍ୱାର୍ଥ ପାଇଁ

    କରିଥାଉ ଅବିଚାର

 ଅନ୍ୟାୟ ଅନୀତି ଅଧର୍ମର ସାଥୀ

    ହୋଇଥାଉ ବ୍ୟଭିଚାର।


 ଅଧର୍ମୀ ବିରାଡ଼ି ବୈଷ୍ଣବ ସାଜିଛି

    ପ୍ରବଚନ ଦେଉଅଛି

 ରୁଦ୍ରାକ୍ଷ ମାଳକୁ ଗଳାରେ ଲମ୍ବାଇ

    ବକ ସାଧୁ ବୋଲାଉଛି।


 ଅଵିଵେକି ଆଉ ଅହଂକାରୀ ହୋଇ

    ସ୍ୱାର୍ଥ ହାସଲ କରୁଛି

  ଲୋଭ ମୋହ ମାୟା ବନ୍ଧନରେ ପଡ଼ି

     ଆପଣା ପର ଭାବୁଛି।


  ମଣିଷ ପଣିଆ ଆଜି ଏଠି ସ୍ୱପ୍ନ

     କର୍ତ୍ତବ୍ୟ ହଜି ଯାଇଛି

  ପ୍ରତିଟି କ୍ଷେତ୍ରରେ ରାଜନୀତି ଖେଳ

     ପଶାର ଗୋଟି ଗଡୁଛି ।


  ମାଙ୍କଡ ହସ୍ତରେ ଶାଳଗ୍ରାମ ଏଠି

    ଖଟିଖିଆ ଖଟି ମରେ

  ସୁଖର ସଂଭୋଗ ପାଇବା ନିମିତ୍ତ

    ପରିବେଶ ନଷ୍ଟ କରେ।


  ଯିଏ ତୋ ଭଗିନୀ ଯିଏ ତୋ ଜନନୀ

    ଏ କଥା ଭୁଲିଲୁ ତୁହି

  ନିଜର ଲାଳସା ମେଣ୍ଟାଇବା ପାଇଁ

    ଦୁଷ୍କର୍ମ କରିଲୁ ଯାଇ।


  ଦିନ ପରେ ଦିନ ଵଢଇ ଅଧର୍ମ

    ହେଉଅଛି ପୃଥିବୀରେ

  ପାପର ଦୈରାତ୍ମ୍ୟ ଭାରାକ୍ରାନ୍ତ ହୋଇ

    ଜୀବନ ଯିବ ଲୋପରେ।


  କେତେ ଯତନରେ ପାଳିଛି ତୋତେରେ

     ହାଡ଼ ରକ୍ତ ମାଂସ ଦେଇ

  ଏ ପାଣି ପବନ ଗଢ଼ା ତୋ ଜୀବନ

     ସେନେହ ଆଦର ପାଇ।


  ତୋର ଦୁଃଖ କଷ୍ଟ କେମିତି ଦେଖିବି

    ଛାତିକୁ ପଥର କରି

  ମୋର କେଇ ପଦ ଶୁଣିଯା ଧନରେ

    ହୃଦୟ କଣ୍ଠରେ ଭରି।


   ବେଳ ଥାଉ ଥାଉ ହୁଅ ସାବଧାନ

     ନ କର ଆଉ ତୁ ପାପ

   ମୋର ଦୋଷାଦୋଷ କ୍ଷମାକରି ପ୍ରଭୁ

      ଅନ୍ତରେ ହରିଙ୍କୁ ଜପ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy