ମାଆ ତୁମେ......
ମାଆ ତୁମେ......
ତୁମେ ଜଗତର ସକଳ ସୁଖ
ତୁମେ ନାଶିପାର ଜଗତ ଦୁଃଖ
ଆହେ ଜଗତର ମାଆ
ବରଷା ଫେରିଲା ଶରତ ଆସିଲା
ତୁମେ ଏବେ ଆସିଯାଆ
ସଫା ଦିଶିଲାଣି ନଈର ପାଣି
ତୁମ ଆଗମନ ବାରତା ଜାଣି
ତୁମେ ଆସିଯିବ ଯେବେ
ତୁମରି ରୂପକୁ ଧରି ରଖିବାକୁ
କହୁଛି ପରା ସେ ଏବେ
ଜାଣିପାରି ତୁମ ଆସିବା ବେଳ
କାଶଫୁଲମାନେ ହେଲେଣି ମେଳ
ମନରେ ସରାଗ ଭରି
ଚାହିଁ ବସିଛନ୍ତି ତୁମକୁ ସେମାନେ
ନେବେ ଆପଣାର କରି
ସଜ କାକରରେ ମୁହଁଟି ଧୋଇ
ଶାଗୁଆ ଶାଢ଼ୀରେ ସଜେଇ ହୋଇ
ଅଶିଣର ଧାନ ଗଛ
ତୁମ କଥା ଭାବି ଅଧିରେ ନାଚୁଛି
ଆଉ ସବୁ କରି ପଛ
ଶେଫାଳି ବିତରି ମଧୁର ବାସ
କହୁଛି ଏ ମାଆ ଆସିବା ମାସ
ଆଖିରେ ତା' ନିଦ ନାହିଁ
ଅପଲକ ସିଏ ରାତି ବିତାଉଛି
ତୁମ ବାଟ ଚାହିଁ ଚାହିଁ
ତୋଫା ଦିଶିଲାଣି ଆକାଶେ ଜହ୍ନ
ଖୁସି ଛନଛନ ଏବେ ତା' ମନ
କଇଁକୁ କହିଛି ସିଏ
ଧରା ଧାମେ ମାଆ ଆସନ୍ତି ବୋଲି ମୁଁ
କିରଣ ଅଜାଡି ଦିଏ
ସୁଖ ନେଇ ତୁମେ ଆସଗୋ ଆସ
ଦୁଃଖ ଯେତେ ଆମ ନାଶଗୋ ନାଶ
ମାଆ ତୁମେ ଦୟା ବହି
ବେଳ ହେଲା ବେଗେ ଅବତରି ଆସ
ହସି ଉଠୁ ଏଇ ମହୀ
