ମାଆ ସ୍ଥାନ ଦେ ତୋ କୋଳର
ମାଆ ସ୍ଥାନ ଦେ ତୋ କୋଳର
କରୁଣ ଚିତ୍କାର ଶୁଭୁଛି ସବୁଠି
ଅସହ୍ୟ ଯନ୍ତ୍ରଣା ସହି
ସହି ପାରୁନାହିଁ ସେଇ ଝିଅଟି ଯେ
ଡାକୁଛି ମା ତୋତେ ହିଁ l
ନେତୋ କୋଳକୁ ଲେଉଟାଇ ମୋତେ
ଯନ୍ତ୍ରଣା ରୁ ଦୂର କରି
ଶରୀର ପୀଡା ଠୁ ମନ ପୀଡା ଏଠି
ଜୀବନ ଯାଇଛି ହାରି l
ସତ୍ୟ ଯୁଗେ ମାତା ସୀତା ଡାକଦେଲେ
ଆସିଲୁ ଧରଣୀ ଚିରି
ସୀତା ମାତାଙ୍କୁ ତୁ କୋଳେ ଠାବ ଦେଲୁ
ଜଗତେ ପଡିଲା ହୁରି l
ନାରୀକୁ ସମ୍ମାନ କରେନାହିଁ ନର
ଏକଥା ପ୍ରମାଣ ଅଛି
ଆଙ୍ଗୁଳି ଦେଖେଇ ଲୁଟି ନେବେ ସତେ
ଚରିତ୍ର କୁ ଦେବେ ଉଚ୍ଛି l
ତୋରି ବୁକୁରେ ଜନମେ ଯେ ନର
ତୋରି ମାଟିରେ ମିଶେ
ଅମଣିଷ ପରି ପଶୁ ତୁଲ୍ୟ ହୋଇ
କୁକର୍ମ କୁ ସେଇ ରସେ l
ବାଘଟିଏ ପରା ବଉଳା ଗାଈକୁ
ନଖାଇ ଛାଡିଲା ଦିନେ
ଏହି ଗପଟିକୁ ପିଲାବେଳେ ମୁହିଁ
ଶୁଣିଥିଲି ଅଛି ମନେ l
ମଣିଷ ପାଖରେ ମଣିଷତ୍ବ ନାହିଁ
ସ୍ୱାର୍ଥପର ହୋଇ ଆଜି
ଦିନ ପରେ ଦିନ ତୋହରି ଛାତିରେ
ସ୍ଵାର୍ଥେ ଜିତେ ସିଏ ବାଜି l
ଚାରି ମାସ ଶିଶୁ ସେ ହେଉକି ହେଉ
ସିଏ ଯେ ବାର ବରଷ
ପଚାଶ ବର୍ଷ ର ବୁଢ଼ୀ ବି ତା ଆଗେ
ଲାଗଇ ପରା ତ ଷୋଡଶ l
ବଳାତ୍କାର କରେ ସାଙ୍ଗ ସାଥି ଧରି
ନବୁଝେ ବେଦନା ତାର
କାମନା ଶରୀର ଜ୍ୱାଳା କୁ ଲିଭେଇ
ଫିଙ୍ଗି ଦିଏ ତା ଶରୀର l
ପାଞ୍ଚ ମିନଟ ର ଦେହ ସୁଖ ଲାଗି
ଆଉ କା ସଂସାର ଜାଳେ
ଟିକେ ସ୍ୱାର୍ଥ ପାଇଁ ଝିଅଟିର ପୁଣି
ଶରୀର କୁ ସିଏ ଦଳେ l
କାଠୁଆ, ପ୍ରିୟଙ୍କା, ପୁଣି ଯେ ନିର୍ଭୟା
ପରୀ, ମନୀଷା ର କଷ୍ଟ
ବେବିନା, ଇତିଶ୍ରୀ, ସସ୍ମିତା ତା ସାଥେ
ଜୀବନ ହୋଇଲା ନଷ୍ଟ l
କି ଦୋଷ ତାଙ୍କର ଥିଲା କହ ମାଆ
ଥିଲେ ଅଲିଅଳ ହୋଇ
ଝିଅଟି ବୋଲିଣ ଥିଲେ ବୋଲି କିବା
ଦୁଷ୍କର୍ମ ହେଲା ସେ ପାଇଁ l
ପଶୁଙ୍କ ଠାରୁ ତ ରକ୍ଷା ମିଳିଯିବ
ମିଳିବନି ମଣିଷ ଠୁ
ହୀନ ଜନ ସିଏ ବଳାତ୍କାରୀ ଟିଏ
ଜାଳିଦେବ ଜିଅନ୍ତା ଠୁ l
ସବୁ ଦେଖି ଦେଖି ବୁଝୁ ନାହିଁ ମନ
ଭୟେ ଥରେ ଦେହ ମୋର
ମୁଁ ବି ଜଣେ ଝିଅ ସୁରକ୍ଷିତ ନୁହଁ
ସ୍ଥାନ ଦେ ମା ତୋ କୋଳରl
ଧରଣୀ ଫଟାଇ ଝିଅ ଜାତି ଙ୍କୁ ତୁ
ନେଇ ଯାଆ ତୋ ପୁରକୁ
ଝିଅଟି ହୋଇ ମୁଁ ନେହୁରା ହେଉଛି
ରଖ ତୁହି ତୋ ଧରାକୁ l