STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

ବିରୋଧାଭାସ ଜୀବନର

ବିରୋଧାଭାସ ଜୀବନର

1 min
180


ତୁଛା ମାଟି ପିତୁଳାକୁ ପୂଜୁଛୁ ବହୁ ଆଡ଼ମ୍ବର ସହକାରେ

ଜୀବନ୍ତ ଦିଅଁ ଯେ' ଆମର ଲୁହ ଗଡ଼ାଉଛି ହତାଦରେ

ଜୀବଦ୍ଦଶାରେ ବୃଦ୍ଧ ମାତାପିତାଙ୍କୁ ନମିଳଇ ମୁଠିଏ ଆହାର

ପରଲୋକ ପ୍ରାପ୍ତିରେ ଭୁରି ଭୋଜନେ ହୁଅଇ ଅତିଥି ସତ୍କାର!!

ଆଖିରେ ଆମ୍ଭର ବାନ୍ଧି ଦେଇଛୁ ସ୍ଵେଚ୍ଛାଚାରର ଅନ୍ଧପୁଟୁଳି

ଉଗ୍ରାଧୁନିକ ହେବାର ଅମୁହାଁ ଦୌଡ଼ରେ ସାଜିଛୁ ଦୌଡ଼ାଳୀ

ସୀମାହୀନ ଏଇ ଦୌଡ଼ରେ ଆମକୁ ନାହିଁ ମୂହୁର୍ତ୍ତେ ଫୁରୁସତ

କେହି ବି ଜାଣେନା କେବେ ଧାଁଦୌଡ଼ ହେବ ଅବା ଶେଷ!!

ସଭାସମିତିରେ ଭାଷୁଛୁ ନୀତି ନୈତିକତାର ବହୁ ଗୁରୁଜ୍ଞାନ

କାର୍ଯ୍ୟକ୍ଷେତ୍ରରେ ରୂପାୟନ କରିବାରେ ଆମ୍ଭର ଫଳଶୂନ୍ଯ

କହି ଦେଉଥାଇ ପରକୁ ବୁଦ୍ଧି ନଦିଶଇ ଘରକୁ କାର୍ଯ୍ୟଧାରା

ଆନର କୁତ୍ସାରଟନା ପାଇଁ ଆମେ ଦିବାନିଶି ପିଟୁଛୁ ଡେଙ୍ଗୁରା!!

ଆଚରଣ ଉଚ୍ଚାରଣରେ ଆମ୍ଭର ଆକାଶ ପାତାଳ ପାର୍ଥକ୍ୟ

ଏହା କାଳେ ଆଜିର ଯୁଗରେ ଅସୀମ ବୁଦ୍ଧିମତ୍ତାର ପ୍ରତୀକ

ଆପଣାକୁ ବିଜ୍ଞାପିତ କରିବାରେ କରୁନାହୁଁ ତିଳେ ମାତ୍ର ହେଳା

ଆନର ପ୍ରଶସ୍ତି ଶ୍ରବଣ ମାତ୍ରକେ ହୁଏ କିଆଁ ଆମ୍ଭର ଗାତ୍ର ଜ୍ବଳା!!

ପାଦେ ପାଦେ ଘଟଣାଚକ୍ରରେ ଘଟୁଥାଏ ମତି ମସ୍ତିଷ୍କ ସଂଘର୍ଷ

ଦୁନିଆର ରୀତି ଏଇ ସର୍ବେ ଅଳ୍ପେ ବହୁତ ଏଥିରେ ଅଭ୍ୟସ୍ତ

ମାନବ ଜୀବନରେ ରହିଛି ଏମିତି ଅନେକ ବିରୋଧାଭାସ

କିଞ୍ଚିତ୍ ବଖାଣି ଥିବାରୁ ଧରିବା ହେବେନାହିଁ ମୋର ଦୋଷ!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract