ମାଆ ମହାକାଳୀ
ମାଆ ମହାକାଳୀ
ଶୁଭଙ୍କରୀ ଉଗ୍ର ଦେବୀ ଆଦିଶକ୍ତି
କାଳୀ କରାଳ ମୂରତି
ମହିମା ଯାହାର ଦେବେ ଅଗୋଚର
ବର୍ଣ୍ଣିବାକୁ କା'ର ଶକ୍ତି ।
ଭୟଙ୍କରୀ ରୂପ ମାତା ର ହୃଦୟ
ଅପୂର୍ବ ଏ ସମନ୍ୱୟ
ଜଗତ ଜନନୀ ଖଳ ବିମର୍ଦ୍ଦିନୀ
ଜୟ ମହାକାଳୀ ଜୟ ।
ତୋ ରୂପ ସ୍ମରଣେ ହୃଦ ରୋମାଞ୍ଚିତ
ତନୁ ହୁଏ ପୁଲକିତ
ଅଜ୍ଞାନ ନାଶିନୀ ଜ୍ଞାନ ପ୍ରଦାୟିନୀ
ଶକ୍ତି ସ୍ୱରୂପିଣୀ ମାତ ।
କରାଳ ମୂରତି ଅନନ୍ତ ଅସୀମ
ନାହିଁ ଆଦିଅନ୍ତ ତୋର
ସର୍ବବ୍ୟାପୀ ତୁହି ପରମ ଇଶ୍ୱରୀ
ସେଥିପାଇଁ ଦିଗମ୍ବର ।
କାଳ କୁ କରିଛୁ ଆୟତ୍ତ ବୋଲି ମା
ପ୍ରକଟିଲା କାଳୀ ନାମ
ଗଗନ ପରି ତୁ ଅନନ୍ତ ଅସୀମ
ଅଙ୍ଗକାନ୍ତି ନୀଳବର୍ଣ୍ଣ ।
କଟିରେ ଶୋଭିତ ଭୂଜମାଳ ତୋର
ହୃଦୟ ରେ ମୁଣ୍ଡମାଳ
ସୂଚାଏ ଏ କଥା ରଖିଛ ଶରଣେ
ଦୁଷ୍ଟ ବି ସନ୍ତାନ ତୋର ।
ଲଲାଟ ପଟରେ ଶୋହେ ବାଳଇନ୍ଦୁ
ନବଜୀବନ ଦାୟିନୀ
ଭୟଙ୍କରୀ ରୂପ କରୁଣାରେ ସିକ୍ତ
କୃପାମୟୀ ତୁ ଜନନୀ ।
କୃଷ୍ଣ ରଙ୍ଗ ତୋର ତାମସ ପ୍ରତୀକ
ସତ୍ତ୍ଵ ଗୁଣ ଶ୍ୱେତ ଦନ୍ତ
ଲହଲହ ଜ୍ୱିହା ରାଜସ ଗୁଣର
ତ୍ରିଗୁଣ ରୁ ତୁ ଅତୀତ ।
ଅଭୟ ମୁଦ୍ରା ତୋ ଭବଭୟହାରୀ
ସନ୍ତାନ ର ଦୁଃଖ ନାଶି
ବରଦ ମୁଦ୍ରାରେ ସର୍ବଇଚ୍ଛା କରି ପୂର୍ଣ୍ଣ
ଜଗତେ ବାଣ୍ଟୁଛୁ ଖୁସି ।
କୃତାନ୍ତ କୃପାଣ ହସ୍ତେ ଉତ୍ତୋଳନ
ଖଣ୍ଡିବା ପାଇଁ ଅରିଷ୍ଟ
ତୋ ନାମ ଧରିଲେ ଘୁଞ୍ଚି ଯାଏ ପରା
ଜରା ବ୍ୟାଧି ଦୁଃଖ କଷ୍ଟ ।
ହସ୍ତରେ ଶୋଭିତ ନରମୁଣ୍ଡ ଗୋଟି
ରଖଇ ବଡ଼ ରହସ୍ୟ
ଅଜ୍ଞାନ ଅଧର୍ମୀ ଅହଂକାର ତମ
କରୁଛୁ ମାତା ବିନାଶ ।
ସଦାଶିବ ବକ୍ଷେ ପୟର ତୋହର
ଶିବଶକ୍ତି ଏକାକାର
ଶିବଙ୍କ ଚେତନା ହୁଏନି ପ୍ରକାଶ
ନ ଥିଲେ ଶକ୍ତି ପାଖର ।
ଶିବ ଆଉ ଶକ୍ତି ହୋଇଲେ ଏକାଠି
ସୃଷ୍ଟି ହୁଅଇ ସମ୍ଭବ
ଶକ୍ତି ବିନା ଜୀବ ପାଲଟଇ ଶବ
ଏହି ବାର୍ତ୍ତା ଦ୍ୟନ୍ତି ଶିବ ।
ଅଧର୍ମୀ ମାନଙ୍କୁ ଦେଉ ତୁହି ଦଣ୍ଡ
ରୂପ ହୋଇ ବାମାକାଳୀ
ସର୍ବ ଇଚ୍ଛା ଫୁର୍ତ୍ତି କରିଥାଏ ମାତ
ରୂପ ତୋ ଦକ୍ଷିଣକାଳୀ ।
ତୁହି କ୍ଷମାମୟୀ ମଙ୍ଗଳମୟୀ ମା
ଶିଷ୍ଟ କୁ ଦେଉ ଅଭୟ
ସ୍ନେହମୟୀ ତୁହି ବାତ୍ସଲ୍ୟ ହୃଦୟା
ମାତ୍ର ଦୁଷ୍ଟ ପାଏ ଭୟ ।
ଅଧର୍ମ କାଳିମା ନଶିବା ପାଇଁ କି
କାଳୀ ରୂପେ ଅବତାର
ଦୁଷ୍ଟ କୁ ସଂହାରି ସାଧୁସନ୍ଥ ପାଳୁ
ମହିମା ତୋର ଅପାର ।
ମୁଁ ଗୋଟେ ଅଜ୍ଞାନୀ ପାମର କୁମତି
ବାରେ ମୋତେ କର କ୍ଷମା
ଅବୋଧ ଭାବରେ ଦିବ୍ୟରୂପ ତୋର
ମୁଁ ମୁର୍ଖ କରେ ବର୍ଣ୍ଣନା ।
ନାହିଁ ବିଦ୍ୟାବୁଦ୍ଧି ଶାସ୍ତ୍ର ମନ୍ତ୍ର ତନ୍ତ୍ର
ବାଳୁତ ଭାବରେ ଭାଳି
ହୃଦୟର ଭାଷା କରିଛି ପ୍ରକାଶ
ତୋ ପଦରେ ନିଉଛଳି ।
ତ୍ରୁଟି ଥିଲେ ମା' ଲୋ ନ ଧରିବୁ ମୋର
ଅଜ୍ଞାନ ସୂତ ମୁଁ ତୋର
ଚରଣେ ଶରଣ ପଶିଲି ଜନନୀ
ମାର ଅବା ମୋତେ ତାର ।