ମା ମୋର ଏକା ସାହା ଭରସା
ମା ମୋର ଏକା ସାହା ଭରସା
ସଂସାର ତରୀରେ ବସିଛି ମା ଲୋ
ତୁହି ମୋର ଏକା ସାହା
ଅଗାଧ ସାଗରେ ଭେଳା ମୋ ଭାସୁଛି
କିଏ ବା କରିବ ଆହାଃ ।
ଥିଲେ ମୋର କେତେ ବନ୍ଧୁ ପରିଜନ
ସୁଖ ଐଶ୍ଵର୍ଯ୍ୟର ସାଥୀ
ରଥ ଭାଙ୍ଗି ଗଲେ ଚଳାଇବା ପାଇଁ
କିଏ ହେବ କୁହ ରଥୀ ।
ପାଇ ଥିଲି ଗୋଟେ ସୁନ୍ଦର ଶାମୁକା
ସେଥିରେ ମୁକୁତା ଥିଲା
ସେହି ମୁକୁତାରେ ହାର ମୁଁ କରିଲି
ସୀସା ଠାରୁ ହୀନ ହେଲା ।
ସବୁ କିଛି ଦିନେ ହଜାଇବା ପରେ
ଆଖିରେ ନାଚିଲା ଶାରୀ
ଅତି ଆଦରରେ ପାଳିଲି ତାହାକୁ
ଘରର ଐଶ୍ଵର୍ଯ୍ୟ କରି ।
ସ୍ବର ସଙ୍ଗେ ସ୍ବର ମିଶାଇ ଡାକେ ସେ
ବଦଳିଲା ଋତୁ ପରି
କଳା ମେଘ ଖଣ୍ଡେ ଆକାଶରେ ଦେଖି
ଦେଖାଏ ମୟୂର ଶିରୀ ।
ନମାନିଲା କଥା ଭରି ଦେଲା ବ୍ୟଥା
ପଞ୍ଜୁରି ଉନ୍ମୁକ୍ତ କରେ
ଅତି ଆନନ୍ଦରେ ଡେଣା ଝାଡି ଦେଇ
ଉଡି ଗଲା କ୍ଷଣିକରେ ।
ରହି ଗଲି ଏକା ନାହିଁ ମୋର ସଖା
ପୁଣି ହରାଇଲି କାତ
ଜୀବନଟା ଏକ ଶୁନ୍ୟ ମହାଶୁନ୍ୟ
ଏ କଥା ତ ପ୍ରମାଣିତ ।
ଜୀବନ ଯୁଦ୍ଧରେ ହାରେ କିବା ଜିତେ
ଚିନ୍ତା କରି ନାହିଁ ଦିନେ
ବୁଝେଇ ଦେଇଛି ସମୟ ସମୀର
ବନ୍ଧୁ ପରିଚୟ ଦାନେ ।
ରଙ୍ଗ ବୋଳା ଏଇ ଦୁନିଆଁ ଛାତିରେ
କରି ଥାନ୍ତି ଅଭିନୟ
ବିପଦ ମୁଖରେ ଛାଡି ଚାଲି ଯାନ୍ତି
ଏ କଥାଟି ନିତି ଥୟ ।
ତୋର ପାଦେ ମାତ ଆଶ୍ରୟ ପାଇଲେ
ସବୁ ଦୁଃଖ ହୁଏ ନାଶ
ସଂସାର ତରୀରେ ତୁହି ସାଥେ ଥିଲେ
ନ ଥାଏ ଲୋ ଅବଶୋଷ ।