ଲୁହରେ ଲେଖୁଛି ଚିଠି
ଲୁହରେ ଲେଖୁଛି ଚିଠି
ହୃଦୟରେ ଚାପି ଅସହ୍ୟ ଯନ୍ତ୍ରଣା
ବୁକୁରେ ଚାପିଛି କୋହ,
ଲୁହରେ ଲେଖିଲେ ଚିଠିରେ କାଳିଆ
ସନ୍ତୁଷ୍ଟ ହେବୁ କି କହ ।
ବିଜନ ବେଳାରେ ତୋର ଭାବମୂର୍ତ୍ତି
ମୋ ମନକୁ ଚହଲାଏ,
ତୋ କୃପା କରୁଣା ପାଇବାକୁ ଟିକେ
ଏ ହୃଦୟ ଝୁରୁଥାଏ ।
ଅବ୍ୟକ୍ତ, ଅକଥ୍ୟ କାହାଣୀ ମୋ ନିତି
ତୋ ପାଶେ ଅଛପା ନୁହଁଇ,
ଅନ୍ତର୍ଯ୍ୟାମୀ ବୋଲି ଅନ୍ତର ବାରତା
ପାରୁନାହୁଁ କିମ୍ପା ଜାଣି ।
ଅସରନ୍ତି ଲୁହ କରିଛି ଏକାଠି
ଲେଖିବାକୁ ତୋ ପାଶେ ଚିଠି,
ସେ ଚିଠି ପଢିକି ଉତ୍ତର ଦେବୁକି
ଏ କଥା ମନେ ଭାବିଛି ।
ମୋ ସୁଖ ଦୁଃଖର ସାକ୍ଷୀ ତୁହି ପରା
ଆନଲୋଡ଼ା କିଛି ନାହିଁ,
ଏ ଜୀବନ ତୀରେ ତୁହିଁ ତ ଭରଷା
ମୋ ମନ ବୁଝିଥା ତୁହି ।
ଚିଠି ଥିଲା ତୁମ ପାଇଁ ଆଖି ଲୁହରେ ଲେଖିଥିଲି,
ଭାବିଥିଲି ପଢିବ, ବୁଝିବ, ବୁଝିଲନି
ଉତ୍ତର ଦେଲନି, ସବୁ ଭୁଲିଗଲ
ବିତିଥିବା ନିରବ ମୁହୂର୍ତ୍ତ ଏକାନ୍ତରେ ଦୁଇ ଆଖିର ମିଳନ
ଅକୁହା କଥା ସବୁ କହି ହେଉଥିଲା ।
ବୁଝକି ନ ବୁଝ ମୁଁ ବୁଝିଥିଲି
ରହିଗଲା କିଛି ଅବ୍ୟକ୍ତ ଭାବନାରେ,
ଭାବିଲି କହିଦେବି ମୁଖ ଖୋଲି l
କିନ୍ତୁ କହିପାରିଲିନି, ସବୁ ଦୁଃଖ ଯନ୍ତ୍ରଣା ସହ୍ୟ କଲି
ତୁମେ ତୁମ ରାଇଜରେ.
ମୁଁ କିନ୍ତୁ ଭୁଲିନି ତୁମକୁ l
ତୁମେ ମୋର ପ୍ରତିଟି ସ୍ପନ୍ଦନରେ,
ତୁମେ ତ ରାଜରାଜେଶ୍ୱର,
ତୁମର କିଅବା ଦୁଃଖ, କିଅବା ଭାବନା,
ଅଷ୍ଟ ପାଟବଂଶୀଙ୍କ ମେଳରେ ତୁମେ ତ
ରାଧାଙ୍କୁ ଭୁଲିଛ, ମୀରାକୁ ଭୁଲିଛ,
ପାଗଳିନୀ ସାଜିଛି ତୁମରି ପ୍ରେମରେ
ତୁମକୁ ପାଇବା ଜନ୍ମଜନ୍ମାନ୍ତରେ ଆପ୍ରାଣ ଚେଷ୍ଟା ସତ୍ୱେ ମୁଁ ହାରିନି, ଆଜି ନିରବ ନିଶ୍ଚଳ ସାଜିଛି ଆଖିର ଲୁହରେ
ତୁମେ ପାଶେ ଏଇ ମୋର ହୃଦୟର ଭାଷା ଚିଠିରେ ଲେଖିଛି l ଖୋଲିକି ନିଶ୍ଚେ ତ ପଢିବ ଏତିକି ପ୍ରାର୍ଥନା
ମୋର ଆତ୍ମାକୁ ମୁକ୍ତି ମିଳିବ ।
