ଲୁହରେ ଭିଜିଲା ଆଖି
ଲୁହରେ ଭିଜିଲା ଆଖି
ରୂପ ନିରୀମାଖୀ, କୋମଳ ଅଧର,
ରକ୍ତିମ ସୁଢ଼ଳ ଶରୀ ।
ଚିତ୍କାର କରୁଛି, ନର୍ଦମ ଖାଦରେ,
କୁଆଁ କୁଆଁ ରାଵ କରି ।।
ଦୃଷ୍ଟି ପଡିଗଲା, ଗନ୍ତବ୍ୟ ପଥରେ,
ଗାଡି ଅଟକାଇ ଦେଲି ।
କୋମଳ ଶିଶୁର, କରୁଣ ଦୃଶ୍ୟକୁ,
ଦେଖି ମୁହିଁ କାନ୍ଧୁଥିଲି ।।
ହୃଦ ବିଦାରକ, ଦୃଶ୍ୟ ଦେଖି ମୁହିଁ,
ଲୋମ ମୋ ଟାଙ୍କୁରି ଗଲା ।
କେମିତି ସହିଲା, ହୃଦୟ ମାଆର,
ରାସ୍ତା କଡେ ଫିଙ୍ଗି ଦେଲା ।।
ବେଢ଼ି ରହିଛନ୍ତି, ସ୍ୱାନ ଓ ଶୃଗାଳ,
ନ ଯାଆନ୍ତି କେହି ପାଶେ ।
ଦୟା କି ମମତା, ହିଂସ୍ର ଜୀବଙ୍କର,
କରୁଣାର ପରକାଶେ ।।
ନିକଟସ୍ଥ ହୋଇ, କପଡା ଆଢେଇ,
ଟତସ୍ଥ ମୁଁ ହୋଇ ଗଲି ।
ଜନ୍ଦା ଓ ପିମ୍ପୁଡି, ଘେରି ଯାଇଛନ୍ତି,
ଶିଶୁ ଚର୍ମ ରକ୍ତେ ନାଲି ।।
ଉଠେଇ ଆଣିଲି, ମୁକ ଶିଶୁଟିକୁ,
ନେଲି ମୁଁ ଡାକ୍ତର ଖାନା ।
ବୁଝି ପାରିଲିନି, ଅପରାଧ ତାର,
ମଙ୍ଗଳ କରେ କାମନା ।।
ମାଆ ତୁମେ ଆଜି, ସାଜ ନାହିଁ ତୁମେ,
ହିଂସ୍ର ନିଜ ଶିଶୁ ପାଇଁ ।
ନିଜ ଉଦରରୁ, ଜନ୍ମ କରି ଶିଶୁ,
ରାସ୍ତା କଡେ ଫିଙ୍ଗ ନାଇଁ ।।
କ୍ଷଣିକ ସୁଖର, ବଶବର୍ତ୍ତୀ ହୋଇ,
ଗର୍ଭବତୀ କିଆଁ ହୁଅ ।
ଚୋରା ପ୍ରେମ ଡୋର, କଲା ଗର୍ଭବତୀ,
ସଜାଗ କାହିଁ ନ ରୁହ ।।
କନ୍ୟା ଶିଶୁ ପାଇଁ, ଦୁଃଖ କାହିଁ ପାଇଁ,
କନ୍ୟା ବି ସବୁ କରଇ ।
କନ୍ୟା ଶିଶୁ ଭାବି, ନ ସାଜି ନୃଶଂସ,
ବଢ଼ାଇ ଦିଅ ପଢ଼ାଇ ।।
