ପଛୁଆ କି ମୋ ଦେଶ
ପଛୁଆ କି ମୋ ଦେଶ
ଆମ ଜନ୍ମ ଭୂମି, ଆମରି ଜନନୀ
ଗର୍ବିତ ଜନ୍ମି ତା' କୋଳେ ।
ଆମେ ଯେ ସଭିଏଁ, ତାହାରି ସନ୍ତାନ
ବନ୍ଦେ ତା ଚରଣ ତଳେ ।
ସ୍ୱାଧୀନ ଭାରତ, ସନ୍ତାନ ହୋଇଣ
ପରାଧୀନ ମଣୁ ଆମେ ।
ସ୍ୱାର୍ଥ ହିଂଶା ଲୋଭ, ଗ୍ରାସିଛି ସରବେ
ଅଶାନ୍ତିର ଏହି ଧାମେ ।
ରାଷ୍ଟ୍ରଠାରୁ ନିଜ, ସ୍ୱାର୍ଥକୁ ଗୁରୁତ୍ୱ
ଦିଅନ୍ତି ସରବେ ଆଜି ।
ମାଗଣା ମିଳିଲେ, ସରବ ଭୁଲନ୍ତି
ଅଧର୍ମ ମାରୁଛି ବାଜି ।
ରାତାରାତି ହେବା, କୋଟିପତି ସ୍ୱପ୍ନ
ଘାରିଛି ସରବ ହୃଦେ ।
କର୍ମକୋଡ଼ି ହୋଇ, ମାରିଥାନ୍ତି ଗପ
ଦେଶ ଦୁନିଆରୁ ପଦେ ।
ଅନ୍ୟର ଗୋଡ଼କୁ, ପଛରୁ ଟାଣନ୍ତି
ଯିବାକୁ ନ ଦେଇ ଆଗେ ।
ନାରୀକୁ ଦୁର୍ବଳା, ଚିନ୍ତଇ ହୃଦୟେ,
ବଳାତ୍କାରି ହୋଇ ଜଗେ ।
ନିରବ ରହୀଣ, ପ୍ରସୟ ଦିଅନ୍ତି
ଅନ୍ୟାୟ ଓ ଅତ୍ୟାଚାର ।
ଅନ୍ଧଶ୍ରଦ୍ଧା ଭକ୍ତି, ଭଣ୍ଡ ପାଇଁ ହୁଏ
ଦେବତାର ଅବତାର ।
ନିଜ କାମ ପାଇଁ, ସଦା ତର ତର
ଆଗରେ ହେବାକୁ ଚିନ୍ତା ।
ଲାଞ୍ଚ ଦିଆ ନିଆ, ଉପାୟ ଆଦରି,
ଧରନ୍ତି ଅଧର୍ମ ପନ୍ଥା ।
ଶିକ୍ଷା ସ୍ୱାସ୍ଥ୍ୟ ପ୍ରତି, ନ ହୋଇ ପ୍ରଯତ୍ନ
ଅଶିକ୍ଷିତ କର୍ମ କରି ।
ରାଜନୀତି ଦଳ, ନିଜ ଜାତିପରି,
ଭାବନ୍ତି ହୃଦୟେ ଭରି ।
ଗଣତନ୍ତ୍ର ଅର୍ଥ, ନଜାଣି ମାନବ
ବାହୁ ବଳେ ବଳିୟାନ ।
ପଇସା ଲୋଭରେ, ବିକିଦ୍ୟନ୍ତି ମୁଣ୍ଡ,
ତନ୍ତ୍ରକୁ ନଦେଇ ଧ୍ୟାନ ।
ସ୍ୱଚ୍ଛତାକୁ ଧ୍ୟାନ, ନ ଦେଇ ମାନବ
କାଟେ ଉପକାରୀ ବୃକ୍ଷ ।
କରୋନା କବଳେ, କବଳିତ ହୋଇ,
ଭାବୁଛି ନିଜକୁ ଦକ୍ଷ ।
ଭଲ କାମ କଲେ, କରେ ପରିହାସ
ନାହିଁ ମଣିଷ ପଣିଆ ।
ସାହସୀ ନ ହୋଇ, ହୁଏ ଭୀରୁ ପରି,
ବନିଯାଏ ଚୁଗୁଲିଆ ।
ଅପରାଧୀ ଭ୍ରଷ୍ଟ, ପାଇଥାଏ ପୂଜା
ବ୍ୟଭିଚାରି ହୋଇ ଆଜି ।
ମୋ ଦେଶ ପଛୁଆ, ଅଧର୍ମୀଙ୍କ ପାଇଁ,
ଅନ୍ୟାୟ ଜିତୁଛି ବାଜି ।
