ଲୁହାଦେହର ମନ (ପ୍ରେମ ସ୍ୱରୂପ)
ଲୁହାଦେହର ମନ (ପ୍ରେମ ସ୍ୱରୂପ)
ଲୁହାର ଦେହ ମୋ ଅତି କଠିନ
କୋମଳ ଯେ କିନ୍ତୁ ମୋର ଏ ମନ ।
ଅବିରାମ ଅଟେ ଗତି ମୋହରି
ଥକିଯିବା ନ ହେଉ ମତି କାହାରି।
ଚାଲୁ ଚାଲୁ କେତେ ଅଜଣା ବାଟେ
କେତେ ବିପଦକୁ ଧର୍ଯ୍ୟରେ କାଟେ ।
ବର୍ଷା ତୋଫାନକୁ ଡରେନା କେବେ
ଗତି ମୋ କେହି ରୋକେନା କେବେ ।
ଭଳିକି ଭଳି ଲୋକଙ୍କୁ ନେଇ
ଗନ୍ତବ୍ୟରେ ମୁଁ ଦିଏ ପହଞ୍ଚାଇ ।
କେତେ ହସ କେତେ ଲୁହ ଦେଖିଛି
ମିଳନ ବିଚ୍ଛେଦ କେତେ ସହିଛି ।
ମୋ ଦେହରେ କେତେ ଅଛି କାହାଣୀ
କହିଲେ ସେସବୁ ସତେ ସରିବନି ।
ଆପଣା ଦେଖିଛି ପର ମୁଁ ଦେଖିଛି
ବିଶ୍ୱାସ ଭିତରେ ଧୋକା ବି ଦେଖିଛି ।
ଜନ୍ମରୁ ମରଣ ଯାଏଁ ଦେଖିଛି
ବୟସ ସବୁକୁ ପରଖି ସାରିଛି ।
ଚେଷ୍ଟା ବଳେ ସିଦ୍ଧି ମିଳେ ଜାଣିଛି
ସବୁ ବୃଥା ହୋଇ ଲୁହରେ ଭିଜିଛି ।
ଦେଖିଲି ସେଦିନ ଲଳନା ସୁନ୍ଦରୀ
ବସିଥିଲା ଆସି କୋଳରେ ମୋହରି ।
ତା ଆଗରେ ଜଣେ ନବୀନ ଯୁବକ
ବସିବାରୁ ତା ମନେ ଭରିଲା ପୁଲକ ।
ଷ୍ଟେସନ ଛାଡିଲି ଆଗକୁ ବଢ଼ିଲି
ଧୀର ଗତି ଛାଡ଼ି ବେଗେ ଆଗେଇଲି ।
ବିଳମ୍ବ ନୁହଇ ମୋହରି ଲକ୍ଷଣ
ହାରିଯିବା କେବେ ନୁହଇ ମୋ ଗୁଣ ।
ଚାଲୁ ଚାଲୁ କିନ୍ତୁ ଦେଖୁଥିଲି ଧୀରେ
ଯୁବକ ଦେଖୁଥିଲା ଝିଅଟିକୁ ସ୍ଥିରେ ।
ଝିଅଟି ତା ଆଡେ ଥରୁଟେ ନ ଚାହିଁ
ଝରକା ଫାଙ୍କରେ ଥିଲା ଯେ ଅନାଇ ।
ଗୋଲାପୀ ଚିବୁକେ କଳା ଯାଇଟେ
ଗୋଲାପେ ଯେପରି ପ୍ରଜାପତିଟେ ।
ତାକୁ ଦେଖି ଛାତି ଉଠି ପଡ଼ିଲା
ଯୁବକ ମନରେ ଅଥୟ ହେଲା ।
କଳା ଚୁଟି ଫରଫର ଉଡ଼ିଲା
ଦଲକାଏ ପବନ ତାକୁ ଛୁଇଁଲା ।
ସୁନ୍ଦର ତାର ଦୁଇ ନୀଳ ଆଖି
ସେଥିରେ ୟା ଆଖି ଗଲା ଯେ ଲାଖି ।
ବାହାର କରିଲା କିଛି କାଗଜ
କଲମ ତୁଳିକୁ କରିଲା ସଜ ।
ଝିଅଟି ଝରକାରୁ ଥିଲା ଅନାଇ
ଯେପରି କାହାକୁ ସେଠୁ ଦେଖଇ ।
ତା ଚାହାଣୀ କେତେ ସୁନ୍ଦର ଥିଲା
ଯୁବକଟି ସବୁ ଆଙ୍କି ଚାଲିଲା ।
ଆଖି ଭ୍ରୁଲତା ଓ ଡୋଳା ସୁନ୍ଦର
ତା ତୁଳିରେ ଦେଲା କଜଳ ଗାର ।
ନାଲି ଓଠ କଲା ଭଉଁରୀ ଖେଳାଇ
ମନରେ ହସିଲା ତାକୁ ଅନାଇ ।
ଗ୍ରିବା କରୁ କରୁ ଚମକି ଉଠିଲା
କେତେ ନିଖୁଣେ ବିଧାତା ଗଢ଼ିଲା ।
କେଉଁଠି କିଛି ତ୍ରୁଟି ନ ଥିଲା
ସତେ କି ସେ ଏକ ମୂରତି ଥିଲା ।
ସୁନ୍ଦର ମସୃଣ କୋମଳ ହାତ
ଆଙ୍ଗୁଠି ସତେକି ସରଗୁ ଜାତ ।
ଅଳପ ନଖରେ ନାଲି ପାଲିସେ
ତା ପରେ ପଥର ମୁଦି ଝଲସେ ।
ଚମ୍ପା କଢି ପରି ଚିକ୍କଣ ସବୁ
ଉଜ୍ବଳ ବଦନା ଆସିଛି ନଭୁ ।
ହଳଦୀ ରଙ୍ଗର ଓଢ଼ଣି ତାର
ଘୋଡ଼େଇଛି ନିଜ ଯୌବନ ଭାର ।
ସରୁ ଏକ ହାର ଗଳାରେ ଥିଲା
ତା ସହ କାନରେ ଫୁଲ ଦେଖିଲା ।
କଟି ଦେଶ ହେଉ ଅବା ଜାନୁ ଦ୍ବୟ
ଯୁବକ ମନ ଖାଲି ହେଲା ଅଥୟ ।
ଭରୁ ଭରୁ ରଙ୍ଗ ତା ଦେହ ସାରା
ଯୁବକ ମନ ହେଲା ରଙ୍ଗ ପସରା ।
ପାଦ ଦୁଇ ଜତନେ ଆଙ୍କିଲା
ରୁଣୁଝୁଣୁ ପାୟଲ ସଜେଇ ଦେଲା ।
ସରୁ ଅଳତାର ଗାରକୁ ଦେଇ
ତୃପ୍ତିରେ ଛବିକୁ ଦେଲା ଅନେଇ ।
ଅବିକଳ ନକଲ ତହିଁରେ ଦେଖି
କିଛି କ୍ଷଣ ସେ ରହିଗଲା ନିରେଖି ।
ସାମ୍ନାରେ ଯୁବତୀ ନିଦରେ ଥିଲା
ଶୀତଳ ପବନେ ସ୍ବପ୍ନ ଦେଖିଲା ।
ଅପଲକ ଦେଖି ତା ଚନ୍ଦ୍ର ମୁଖ
ଯୁବକ ପାଇଲା ସତେକି ସୁଖ ।
ରାତି ପାହିଗଲା ଜାଣି ହେଲାନି
ସକାଳ ପରେ ବି ନିଦ ଗଲାନି ।
ମନେ ମନେ କେତେ ସ୍ବପ୍ନ ତା ଥିଲା
ଉଠେଇ ଦେବାକୁ ଯୁବକ ଭାବିଲା ।
ସ୍ଥିର କଲା ପଚାରିବ ତାର ଠିକଣା
ପହଞ୍ଚିବ ଯାଇ ଦିନେ ତାର ଅଗଣା ।
ଘରଲୋକଙ୍କୁ ରାଜି କରେଇ ଦେଇ
ସୁନ୍ଦରୀକୁ ନେବ ସେ ଆପଣେଇ ।
ତା ନୀଳ ଆଖିରେ ହଜି ସେ ଯିବ
ତା ନାଲି ଓଠରେ ଦୁନିଆ ଭୂଲିବ ।
ମନେ ମନେ ହସି ମୁଣ୍ଡ କୁଣ୍ଡେଇ
ଯୁବକ ଦେଖିଲା ତାକୁ କଣେଇ ।
ଧୀର ସ୍ୱରେ ଡାକିଲା ଉଠିବା ପାଇଁ
ଶେଷ ଷ୍ଟେସନ ଯେ ଆସେ ପାଖେଇ ।
କିଛି ଉତ୍ତର ପାଇଲା ନାହିଁ
ଭାବିଲା ଟିକେ ଦେବକି ହଲେଇ ।
ଥରିଲା ହାତରେ ଆଗେଇ ଆସି
ଧୀରେ ଛୁଇଁ ଦେଲା ଅଳପ ହସି ।
ଚମକି ପଡ଼ିଲା ତା ଦେହ ଛୁଇଁ
ବରଫର ଥଣ୍ଡା ପରଶ ପାଇ।
ଢଳି ଗଲା ଯୁବତୀର କାଠ ଦିହ
ରାତିରୁ ବୋଧେ ଛାଡ଼ି ଯାଇଛି ମୋହ ।
ପ୍ରାଣ ନ ଥିଲା ଆଉ ତାର ପିଣ୍ଡରେ
ବୁଦ୍ଧି ପଶିଲା ନାହିଁ ଆଉ ମୁଣ୍ଡରେ ।
ଚିତ୍କାର କରି ସେ ଚମକି ଗଲା
ହାଏରେ ବିଧାତା ଏ କି ହୋଇଲା ।
ଅନ୍ୟ ଯାତ୍ରୀମାନେ ପାଖକୁ ଆସି
ଆହା କଲେ ତାର ଶବ ଆଉଁସି ।
ମୁଁ ରହିଗଲି ଯେବେ ପ୍ଲାଟଫର୍ମରେ
ସେ ଦେହକୁ ସର୍ବେ ରଖି ଭୂମିରେ ।
ପୋଲିସକୁ ଡାକି ଧରେଇ ଦେଇ
ଆଗେଇଲେ ଯେ ଯା ବାଟରେ ଭାଇ ।
ଯୁବକଟି କିନ୍ତୁ ଅଟକି ଗଲା
ରାତିର ପ୍ରେମ ତା ସେଠି ରହିଲା ।
ଛାତିରେ ଧରି ସେ ଚିତ୍ରପଟକୁ
ଶେଷ ଥର ଚୁମିଲା ଲଲାଟକୁ ।
ସତ୍ୟ କରି ସ୍ବୀକାର ଲୁହ ପୋଛିଲା
ଧୀର କରି ଚିତ୍ର ଫୋପାଡି ଦେଲା ।
ଚାଲିଗଲା ସେ ବି ତାର ବାଟରେ
ପ୍ରେମ କଥା ରହିଲା ଅଧା ବାଟରେ ।
ଭାବୁଥିଲି ମୁଁ ଏହା ଜୀବନ ସତ
କିଏ କେବେ ଯାଏ ତା ଅନିଶ୍ଚିତ ।
ଯାତ୍ରା କେବେ ସରେ କିଏ ଜାଣିଛି
ଦଇବ କା ପାଇଁ କେତେ ଦଣ୍ଡ ରଖିଛି ।
ଭରିଗଲେ ଯେବେ ଯାତ୍ରୀଗଣ
ଆଗେଇଲି ପୁଣି ନ ରହି କ୍ଷଣ ।