ଲୁହ
ଲୁହ
ମଣିଷ ଜୀବନ ନୁହଇ କେବଳ
ଗୋଲାପ ଫୁଲର ଶେଯ
ସୁଖ ଆସେ ଯେବେ ମଣିଷ ଜୀବନେ
ରଚନା କରେ ମଉଜ ||
ଦେଇଛନ୍ତି ଆଖି ପ୍ରଭୁ ଚକାଆଖି
ଦେଖିବାକୁ ତାଙ୍କ ସୃଷ୍ଟି
ପରସୁଖ ଦେଖି ଆନନ୍ଦ ବିଭୋରେ
କରିବାକୁ ସୁଖ ବୃଷ୍ଟି ||
ପରଦୁଃଖ ଦେଖି ହୃଦୟ ଭିତରେ
ଉଠିବ ଦୁଃଖର କୋହ
ଆଖି ଦୁଇଟିରୁ ଝରଝର ହୋଇ
ବିଗଡିତ ହେବ ଲୁହ ||
ଲୁହଅଟେ ଜାଣ ପୁଣ୍ୟତୋୟା ଗଙ୍ଗା
ବହେ ହିମାଳୟୁ ସିନ୍ଧୁ
ଜନ୍ମରେ ଆରମ୍ଭ ମୃତ୍ୟୁରେ ସମାପ୍ତ
ଝରୁଥାଏ ବିନ୍ଦୁ ବିନ୍ଦୁ ||
ହୋଇ ସ୍ରୋତସ୍ବିନୀ ପ୍ରଗଳ୍ପା ତଟିନୀ
ସୁଖ ଦୁଃଖ ଦୁଇ କୂଳ
ଲୁହର ବନ୍ୟାରେ ପତିତ ପାବନୀ
ଧୁଏ ତା ପବିତ୍ର ଜଳ ||
ଜୀବନ ଯମୁନା ନଦୀ ଗତିପଥ
ଲୁହ ତା ଦୈର୍ଘ୍ୟ ମାପକ
ଜନମ ମରଣ ଅବଧି ଭିତରେ
ସୁଖ ଦୁଖର ଏକକ ||
ଜନମ କାଳରେ କାନ୍ଦିଉଠେ ଶିଶୁ
ଝରାଇ ଦିଟୋପା ଲୁହ
କୁଆଁ କୁଆଁ ହୋଇ ପଚାରଇ ସିଏ
କୁଆଡେ ଆସିଲି କୁହ ||
ନୂତନ ଆଲୋକ ପରଶେ ଶିଶୁଟି
କାନ୍ଦି କହଇ “କଃ ଅହଂ?”
ତାହାର ଆଖିରୁ ଲୋତକ ଝରାଇ
ପଚାରେ“ କୁତ୍ରାଗଚ୍ଛମ୍?"
କ୍ରମେ ବଢି ଶିଶୁ ହୁଅଇ ଯୁବକ
ଯୁବକରୁ ବୃଦ୍ଧାବସ୍ଥା
କ୍ରମେ ପାଇଯାଏ ତା' ପ୍ରଶ୍ନ ଉତ୍ତର
ଜୁଇ ନିଆଁ ଶେଷ ଆସ୍ଥା ||
ଶରବିଦ୍ଧ ହୋଇ ବାଲ୍ମୀକୀଙ୍କ ଆଗେ
କପୋତ ପଡିଲା ଲୋଟି
ଝରାଇ ଦେଲାସେ ଋଷିଙ୍କର ଲୁହ
ରାମାୟଣ ଦେଲେ ଭେଟି ||
ଯୀଶୁଙ୍କର ଲୁହ ପ୍ରସିଦ୍ଧ କରିଲା
ବାଇବେଲ ମହାଗ୍ରନ୍ଥ
ରୁଦ୍ରଙ୍କର ଲୁହ ରୁଦ୍ରାକ୍ଷ ହୋଇଲା
ପୂର୍ଣ୍ଣ କରେ ମନୋରଥ ||
ଶାକମ୍ଭରି ଲୁହ ପୃଥ୍ବୀପରେ ପଡି
କରିଲା ଶସ୍ୟ ଶ୍ୟାମଳା
ସଂସାର ଦୁଃଖରେ ସିଦ୍ଧାର୍ଥଙ୍କ ଲୁହ
ସିଦ୍ଧାର୍ଥରୁ ବୁଦ୍ଧ କଲା ||
ହସ କାନ୍ଦ ଦୁଇ ପ୍ରତି ମଣିଷର
ଅବିଚ୍ଛେଦ୍ୟ ଅଭିବ୍ୟକ୍ତି
ହୃଦ କନ୍ଦରରେ ଦୁଇଟି ଆବେଗ
ଏକ ହୋଇ ରହିଥାନ୍ତି ||
ହସ ଓଠେ ଭାସି ଲୁହ ନେତ୍ରୁ ଝରି
ଆତ୍ମାକୁ କରଇ ସିକ୍ତ
ମାନ ଅଭିମାନ ଦୁଃଖ ଅବସାଦ
ଧୋଇ କରେ ସୁଖ ଯୁକ୍ତ ||
ଦୁଃଖ ସୁଖ ଅଟେ ମଣିଷ ମୁଦ୍ରାର
ଅବିଚ୍ଛେଦ୍ୟ ଦୁଇ ପାର୍ଶ୍ବ
ଦୁଃଖର ଲୁହରେ ସୁଖର ପ୍ଲାବନେ
ଝରାଏ ଓଠରୁ ହସ ||
ଲୁହ ଧୋଇ ନିଏ ମନର ବେଦନା
ନିରିମଳ କରେ ହୃଦ
ସୁଖ ଲୁହ ଅବା ଦୁଃଖ ଲୁହ ହେଉ
ଭାବାବେଗ ଅଶ୍ରୁବୃନ୍ଦ ||
ସାବୁନ ଯେମିତି ଲୁଗାପଟା ଆମ
ଧୋଇ କରିଦିଏ ସଫା
ଲୋତକ ସେମିତି ନୟନୁ ଝରିଣ
ହୃଦ ମନ କରେ ସଫା ||
ଲୋତକ ନୁହଇ କେବଳ ଦୁଃଖର
ପ୍ରକାଶକ ଅଭିବ୍ୟକ୍ତି
ଲୁହ କହିଥାଏ ମଣିଷ ଜୀବନ
ବୃତ୍ତାନ୍ତ କାହାଣୀ ନିତି ||