ଲୁହ
ଲୁହ
ସୁଖରେ ଦୁଃଖରେ ସାଥୀ ହୋଇ ତୁମେ
କେତେ ସ୍ଵାର୍ଥପର କୁହ,
ହୃଦୟରେ ମୋର
କୋହ ଆସେ ବୋଲି
ଝରିଗଲ ତୁମେ ଲୁହ ।
ଲୁହ ଆଉ କୋହ ଦୁଇ ସାଙ୍ଗ ବୋଲି
ଜାଣିଛି ଅନେକ ଦିନୁ,
କୋହ ପରା ମୋର ଚିର ସହଚର
ଲୁହରେ ତିନ୍ତାଏ ତନୁ ।
ବନ୍ଧ୍ୟା ଜୀବନର ସଙ୍ଗୀନୀ ତୁମେ ଗୋ
ଦରିଦ୍ର ଧନ ସମ୍ପତ୍ତି,
ଅନ୍ତର ମଧ୍ୟରେ ଆବେଗ ବଢିଲେ
ନୟନ କୋଣୁ ଉତ୍ପତ୍ତି ।
ମା'ର କୋଳରୁ ସନ୍ତାନ ହଜିଲେ
ସାଜୁଛ ଗଙ୍ଗା ଯମୁନା,
ବୃଦ୍ଧା ଆଶ୍ରମକୁ ବାପା ମାଆ ଗଲେ
କେ ପାରିବ ତୁମେ ମନା ।
ଅଭିମାନୀନୀ ମୋ ସ୍ଵାର୍ଥପର ତୁମେ
ବହିବହି ଶୁଖିଯାଅ,
ଅପ୍ରତ୍ୟାଶିତ ସଫଳତା ପାଇଁ
ନିରୁତ୍ସୁକ ବହୁଥାଅ ।
ଲକ୍ଷହୀନା ତୁମେ ଅଜଣା ତଟିନୀ
କେବେ ଆସ କେବେ ଯାଅ,
ମୋ ପ୍ରିୟ ଶେଫାଳି ପଚାରିଲେ ମୋତେ
କି ଉତ୍ତର ଦେବି କୁହ ?
ମୋ ଆଖି ପାଏନା ତୁମର ଠିକଣା
ଖୋଜିଲେ ବି ଦିନରାତି,
ମନ କାଗଜରେ ଲେଖୁଛି ପତର
ଲେଖି ମୁଁ ପାରୁନି ଇତି ।
ସୁଖର ସପନ ସାତପର ମୋର
ଦୁଃଖ ତ ଅତି ଆପଣା,
ଦୁଃଖର ବୋଝକୁ ମୁଣ୍ଡରେ ମୁଣ୍ଡେଇ
ହେଇଗଲି ବାଟବଣା ।
ମନର କଥାକୁ ମନ ତ ବୁଝେନା
କେମିତି ବୁଝିବ ତୁମେ,
ଅସରା ପଥର ପଥିକ ବୋଲି ମୁଁ
ଆଖି ଲୁହ ଓଠ ତୁମେ ।
ତୁମେ ମୋର ପାଶୁ ଯାଉ ନାହଁ ବୋଲି
ଶୁଖିଯାଉଛି ମୋ ମୁହଁ,
ସାତପର କରି ମୋ ପାଖରୁ କେବେ
ଯିବ ସତ କୁହ ଲୁହ ?
ଲୁହ ଲୁହ ବୋଲି ଚିତ୍କାର କରେ ମୁଁ
ପୋଛିବାକୁ ନାହିଁ କେହି,
ଲୁହରେ ବଞ୍ଚିବି ଲୁହରେ ମରିବି
ଲୁହ ମୋ ଭଉଣୀ ଭାଇ ।
