ଲୁହ ପାଖୁଡ଼ା
ଲୁହ ପାଖୁଡ଼ା
କବିତା - ଲୁହ ପାଖୁଡ଼ା
ରଚନା - ପଞ୍ଚାନନ ଜେନା
ତାରିଖ -୧୮-୦୭-୨୦୨୬
++++++++++++++++
ତତଲା ଲହୁକୁ
ସମ୍ଭାଳୁ ସମ୍ଭାଳୁ
କେବେ କେମିତି ଝରି ପଡୁଥିଲା
ହେଲେ ତୁମ ଅଶୁଧାରାକୁ
ରୋକିବା ରୋଧିବା ପାଇଁ କି
ଆଉ କିଛି ବିକଳ୍ପ ଦିଶୁ ପଶୁ ନଥିଲା
ଆଉଟା କୋହକୁ
ଆଉଁସୁ ଆଉଁସୁ
କେବେ କେମିତି ଅମାନିଆ ସାଜୁଥିଲା
ହେଲେ ତୁମ ଦୁଃଖଧାରାକୁ
ରୋଧ ଅବରୋଧ ପାଇଁ କି
ଅନ୍ୟ କିଛି ଅସ୍ତ୍ରଶସ୍ତ୍ର ପାଖରେ ନ ଥିଲା
ସନ୍ତୁଳା କୋହକୁ
ପଘାରୁ ଵଘାରୁ
କେବେ କେମିତି ସୀମାରେଖା ଡେଇଁଥିଲା
ହେଲେ ତୁମ ଶୂନ୍ୟଶିରାକୁ
ବିରୋଧ ବିଶୁଦ୍ଧ ପାଇଁ କି
ତିଳ ତଣ୍ଡୁଳିତ ଆନ୍ଦୋଳିତ ହାତରେ ନ ଥିଲା
ଆବଦ୍ଧ ଲୁହକୁ
ସାଉଁଳୁ ସାଉଁଳୁ
କେବେ କେମିତି ଲକ୍ଷଣରେଖା ଲଙ୍ଗୁଥିଲା
ହେଲେ ତୁମ ଭାଗ୍ୟଶିରିକୁ
ଅନନ୍ତ ଅପାର ରତ୍ନାକର ପାଇଁ କି
ଶେଷ ତପସ୍ୟାର ନିଦାନ ବଳିଦାନ ହିଁ ଥିଲା
ଟପ୍ ଟପ୍ ବରକୋଳିଆ ଟୋପା ଛଡା
ନିଜର ସଞ୍ଚିତ ବଞ୍ଚିତ ଜମାପୁଞ୍ଜି ଛଡା
ଅତି ଆପଣାର ଅଶ୍ରୁ କେଇବୁନ୍ଦା ଛଡ଼ା
ଶୂନ୍ୟ ପ୍ରହର ଚେଇଁ
ମହାଶୂନ୍ୟ ପ୍ରଚୀର ଡେଉଁ
ଶୂନ୍ୟହସ୍ତାର ଶେଷ ସ୍ୱୀକରୋକ୍ତି ଅବଢ଼ା
ତର୍ପଣ ଅର୍ପଣ ସମର୍ପଣ ସାମଗ୍ରୀ ଲୁହ ପାଖୁଡା ।
