ଆହେ ଦୟାମୟ
ଆହେ ଦୟାମୟ
କବିତା - ଆହେ ଦୟାମୟ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୭-୨୦୨୬
++++++++++++++
ଆହେ ଇଚ୍ଛାମୟ
ତୋ ଇଚ୍ଛାରେ ମୋ ଇଚ୍ଛା ମିଶେଇ ଦେ ରେ
ଆହେ ଦୟାମୟ
ତୋ ରଙ୍ଗରେ ମୋ ରଙ୍ଗ ଫେଣ୍ଟେଇ ଦେ ରେ
ଦୁଇ ବାହୁ ତୋଳି ଚାହିଁ ବସିଛି
ମଥାରେ ବଡ଼ଦାଣ୍ଡ ଧୂଳି ବୋଳି ରହିଛି
ଥରେ କୋଳେଇ ନେ ରେ
ଆହେ ବିଶ୍ୱମୟ
ତୋ ଦୟାରେ ମୋ ଦାୟ ଗୋଳେଇ ଦେ ରେ
ଆହେ କରୁଣାମୟ
ତୋ ମାୟାରେ ମୋ କାୟା ବିସ୍ତାରି ଦେ ରେ
ଦୁଇ ଆଖି ଖୋଲି ଅନେଇ ରହିଛି
ଜୟ ଜଗନ୍ନାଥ କହୁଛି ଦୁଇ ହାତ ଟେକୁଛି
ଥରେ ଡୋରୀ ଲଗେଇ ଦେ ରେ
ଆହେ ଲୀଳାମୟ
ତୋ ଦାଣ୍ଡରେ ମୋ ମୁଣ୍ଡ ଗଡ଼େଇ ଦେ ରେ
ଆହେ ଶ୍ରଦ୍ଧାମୟ
ତୋ କ୍ଷମା ଗୁଣରେ ମୋ ଦୋଷ ପୋଛେଇ ଦେ ରେ
ଦୁଇ ବାହୁ ମେଲି ଶ୍ରଦ୍ଧାରେ ଡାକୁଛି
ଭକ୍ତ ସମାଗମ ଠେଲି ପେଲି ଆଗେଇ ଚାଲିଛି
ଥରେ ତୋ ରଥ ଦଉଡି ଛୁଇଁବାକୁ ଦେ ରେ
ଆହେ କ୍ଷମାମୟ
ତୋ ଭାବରେ ମୋ ଅଭାବ ସମାଧି ଦେ ରେ
ଆହେ ବନ୍ଧୁମୟ
ତୋ ଭକ୍ତିରେ ମୋ ସ୍ତୁତି ଅବଧି ଦେ ରେ
ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି
ବାଇଶି ପାହାଚ ଅତିକ୍ରମ କରି
ଥରେ ତୋ ସୁନାବେଶ ଦେଖିବାକୁ ଦେ ରେ
