STORYMIRROR

Prakash Majhi

Inspirational

3  

Prakash Majhi

Inspirational

ଜନ୍ମଭୂମି

ଜନ୍ମଭୂମି

1 min
259

ଇନ୍ଦ୍ରଧନୁର ସାତରଙ୍ଗ ଚିହ୍ନ

ଏମିତି ପଡ଼ିଛି ଏଠି,

ରଙ୍ଗମୟ ଦିଶେ ସକଳ ପରାଣ

ଖିଲିଖିଲି ହସେ ମାଟି


ଆକାଶ ଛାତିରେ ଅନେକ ଭରସା

ମଧୁର ଭାବନା ଚିତ୍ତ,

ସୁନେଲି ପ୍ରଭାତ ସ୍ମୃତିର ପସରା

ଖୋଲୁଛି ନୂତନ ପଥ।


ସୁବର୍ଣ୍ଣ ସବୁଜ ଦେହର ପ୍ରକୃତି                  

ଯାଇଛି କେବେଠୁ ବହି,                    

ଆଶାର ଆଲୋକ ଚଉଦିଗେ ଭରା              

ରୂପର କଳନା ନାହିଁ।


ଟୋପାଟୋପା ହସ ମୋତିର ଝଲକ

ନିଇତି ବରଷେ ଜାଣି

ନାନା ଜାତି ଫୁଲ ବାସର ମହକ

ସତେକି ରତନ ମଣି ।


ଶସ୍ୟ ଶାମଳା ଚାଷୀର ହୃଦୟ

ଯତନେ ସେମିତି ଠିଆ,                    

ଗୀତରେ ଗୀତରେ ମନ ଝୁମୁଥାଏ             

ଛୁଇଁଲେ ମୌସୁମୀ ବାଆ।


ଆଖିରେ ଅନେକ ପ୍ରେରଣାର ଉତ୍ସ

କହିଲେ ସରୁନି ଯେତେ,

କଅଁଳ ଶିଶୁର ପ୍ରତିଟି ମିଳନ

ପୁଲକ ଭରୁଛି କେତେ।


କିଚିରି ମିଚିରି ଶବଦ ଭିତରେ

ଜନ ଗହଳିର ଭିଡ଼,

ତାହାରି ପରସ ଆନନ୍ଦ ଉଲ୍ଲାସ

ଫୁଟାଏ ସପନ କଢ଼।


ନବ ଯଉବନ ନିରବତା ଭାଙ୍ଗେ                  

ନାଚିନାଚି ଉଠେ ଦିଗ,                     

ଜୀବନ ବୀଣାରେ ପ୍ରେମର ଝଙ୍କାର             

ତୋଳେ ନୂଆନୂଆ ରାଗ।


ଆମେ ତ ଅନେକ ତୋହରି ସନ୍ତାନ

କଅଁଳ ଫୁଲର କଢି,

ସୁନ୍ଦର ସତରେ ଏକତାର ମନ୍ତ୍ର

ପାରିଲେ ସଭିଏଁ ପଢ଼ି।


ଜନମ ମରଣ ସବୁ ତ ଏଇଠି

ଜୀବ ଜଗତର କଥା,

ସୁଖରେ ଦୁଃଖରେ ତାହାରି କୋଳରେ

ଗରବେ ଟେକିିିବୁ ମଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational