ଜଳ ତରଙ୍ଗ
ଜଳ ତରଙ୍ଗ
କବିତା - ଜଳ ତରଙ୍ଗ
ରଚନା - ପଞ୍ଚାନନ ଜେନା
ତାରିଖ -୧୫-୦୭-୨୦୨୭
++++++++++++++++
ପ୍ରତି ଗାଁରେ ଥିବ ପଦ୍ମ ପୋଖରୀ
ରକ୍ତକଇଁ ଭର୍ତ୍ତି ବେଣ୍ଟ ପୋଖରୀ
ଝଙ୍କାଳିଆ ବରଗଛ ପାଖରେ
ଲମ୍ବା ନାଳ ଖାଳ ତାଳ ଗୋହିରୀ
ଅଳ୍ପ ଦୂରେ ମାଣ ମାଣ ଧାନ କିଆରୀ
ସେହି ପୋଖରୀ କାହିଁକି ରହିଥାଏ
କହିବା ହୁଏତ ଅସମ୍ଭବ
ଅନୁମେୟ ଏହି କି ଯେ
ଗ୍ରାମବାସୀ ନିତ୍ୟକର୍ମ ପାଇଁ ଖୋଳିଥାନ୍ତି
ପାଣିର ବାରମାସିଆ ଭଣ୍ଡାର ସମ୍ଭବ
ହୁଏତ ଗାଁ ପୋଖରୀର ଇତିହାସ
ଐତିହାସିକ ହୋଇ ନ ପାରେ
ତେବେ ତା'ର ଅଛି ମନୋରମ ଭୂଗୋଳ
ଖଣ୍ଡେ ଯାଗାରେ ଦର୍ଶନୀୟ ଚଳ ଚଞ୍ଚଳ
ଛୋଟ ହେଲେ ବି ବିରାଟ
ନଈ ନ ହେବାର ଯୁକ୍ତି ଅକାଟ୍ୟ
ଜଳ ଯୋଗାଣ ପାଇଁ
ପ୍ରତି ଗାଁରେ
ଥିବ ଦେଶ ପୋଖିରୀ
କିଛି କଇଁଫୁଲରେ ବିଞ୍ଚୁଥିବ
କିଛି ପଦ୍ମପତ୍ରରେ ଢ଼ଳୁଥିବ
କିଛି ଜହ୍ନ ଆଉଟା ମଧ୍ୟରାତ୍ରରେ
ମୁଖ ପଖାଳୁଥିବ ଚନ୍ଦ୍ରମୁଖୀ ବିଭାବରୀ
ପୋଖରୀ ନିର୍ବାକ୍ ହୋଇପାରେ
ଜଳ ତରଙ୍ଗରେ ଲେଖି ରଖିଛି
ଗାଁର ଅଲିଖିତ ଇତିହାସ
ମୌନୀ ଋଷୀ ସନ୍ୟାସୀ ପରି
ମନେ ରଖିଛି ଅନେକ ଗୁପ୍ତ ଖଣ୍ଡିକାସ
କେତେ ଝିଅ ଗଲେ ଶାଶୁଘର
କେତେ ସଂକ୍ରାନ୍ତିରେ ଆସନ୍ତି ବାପଘର
ମସାଣୀ ଭୂଇଁ କେତେ ଛୁଅନ୍ତି ବାଳୁତ କୁମର
କେତେ ଦାଦନ ଖଟିବାକୁ ଗଲେ
ଛାଡି ବାଲ୍ୟ କୈଶୁର ଇସ୍ତାହାର
କେତେ ସହରୀ ପାଲଟିଲେ ଭୁଲିଗଲେ
ମାଟି ମା'ର ମମତା ତଥା ପୋଖରୀ କୂଳର ଖେଳଖର
ସବୁ ପୋଖରୀ ହୁଡ଼ାରେ ଲିପିବଦ୍ଧ
ଅଲିଭା ଦାଗ ପରି ଚିତ୍ରିତ ସ୍ୱାକ୍ଷର ।
