ଲୁଚି ଦେଖୁ ଅଛି
ଲୁଚି ଦେଖୁ ଅଛି
ଲୁଚି ଦେଖୁଅଛି ଝରକା ଫାଙ୍କରେ
ପ୍ରିୟା ମୋର ଝାଙ୍କି ହୋଇ ,
ଆକାଶ ବକ୍ଷକୁ ଜହ୍ନର ମୁଖକୁ
ଚାହିଁ ଉଲ୍ଲାସ ଯେ ହୋଇ ।
କିଏ ତ ବୁଝାଅ ପ୍ରିୟାକୁ ଯେ ମୋର
ଜହ୍ନରୁ ସୁନ୍ଦର ଜିଣି ,
ଜହ୍ନର କାୟାରୁ ମଞ୍ଜୁଳ ମୟୁଖ
ନିରନ୍ତେ ଆଣିଛି କିଣି ।
ଜହ୍ନକୁ ଅନାଇ ସ୍ମିତ ହାସ୍ୟ ବହି
କେଉଁ ଭାବନାର ତୀରେ ,
କେଉଁରାଇଜରେ ଅବା ଜହ୍ନ ଠାରେ
ଭାବର ପ୍ରଦାନ କରେ।
ସେ ଚାହେଁ ଜହ୍ନକୁ ମୁଁ ଚାହେଁ ଜହ୍ନକୁ
ଝରକାର ଫାଙ୍କ ମଧ୍ୟେ ,
ସେ ହସେ ମୁରୁକି ଜହ୍ନକୁ ନିରେଖି
ମୁଁ ହଜେ ତା'ରି ମଧ୍ଯେ।
ପ୍ରିୟାର ବଦନ ସୁବର୍ଣ୍ଣ ସୁବର୍ଣ୍ଣ
ସ୍ଵର୍ଣ୍ଣ ଜ୍ୟୋସ୍ନେ ନଟ ପଟ ,
ପୁନଃ ସେ ପବନ କରେ ସେ ଚୁମ୍ବନ
ଫେରି ଆସେ ଝଟପଟ ।
ପ୍ରିୟାର ସ୍ପରଶ ଘେନି ଯେବେ ଫେରେ
ସିହରଣ ଭରି ଦିଏ ,
ମନରେ ଆବେଗ ପ୍ରଣୟର ଭାବ
ଚଞ୍ଚଳତା ଭରି ଦିଏ ।
ପବନ ଚତୁର ହୋଇ ସେ ବିଭୋର
କେତେ ଦୁଷ୍ଟାମି ସେ କରେ ,
ପ୍ରିୟାର କେଶକୁ ମୁଖ ମଣ୍ଡଳକୁ
ଆବୋରେ ଆନନ୍ଦ ଭରେ ।
ଶ୍ରବାର ଝୁମୁକା ପବନ ତାଳରେ
ଝୁମି ଝୁମି କରି ନାଚେ ,
ଚିକିମିକି ରଶ୍ମି ଜହ୍ନ ଠାରୁ ଆଣି
ରୌପ୍ୟ ସୌନ୍ଦର୍ଯ୍ୟ ସେରଚେ ।
ନୟନ ଯୁଗଳ ଦୁହିଁ ଙ୍କର ମେଳ
ତୁଳନା କି ଅଛି ତାର ,
କଜ୍ଜଳ କଜ୍ଜଳ ନୟନ ଯୁଗଳ
କଳନା କି କରି ପାର ।
ଯେବେ ମୋର ଆଖି ସୁନ୍ଦର ତା ଦେଖି
ଚୁପ୍ ହୋଇ କିଛିକୁହେ ,
ଯଦି କେବେ ସିଏ ସମ୍ମୁଖରେ ଆସେ
ହୃଦ ଆଲିଙ୍ଗନ ଚାହେଁ ।

