STORYMIRROR

Chinmaya Kumar Nayak

Abstract Tragedy

3.8  

Chinmaya Kumar Nayak

Abstract Tragedy

ଲଣ୍ଠନ

ଲଣ୍ଠନ

1 min
212


ମୁଁ ଆଜି ପଡିରହିଛି

ଅନାଦୃତ ଅଲୋଡ଼ା ଅଳିଆ ହୋଇ

ଘରର କେଉଁ ଏକ ଅପହଞ୍ଚ ଇଲାକାରେ

ଭୋକିଲା ପେଟରେ। 


କେବେ ସମୟକୁ ମନଇଚ୍ଛା ଗାଳିଦିଏ

ପୁଣି କେବେ ମୋ କପାଳକୁ ନିନ୍ଦେ

ମୋ ଅଜ୍ଞାତବାସର ଅଭିଶାପ ପାଇଁ

ଭଙ୍ଗା କାଚ ଫାଙ୍କରୁ ବହି ଆସେ

ସୁଲୁ ସୁଲୁ ସ୍ମୃତିର ମିଠା ପ୍ରଭଞ୍ଜନ

ଶିହରି ଉଠେ ମୋ ଶୁଖିଲା ସଳିତା

କେଉଁ ଏକ ମଧୁର ଆହ୍ଲାଦେ। 


ଦିନେ ଆସିଥିଲି ସୁଖେ ଝୁଲି ଝୁଲି

ଅନ୍ଧାର ରାତିରେ ମିଞ୍ଜି ମିଞ୍ଜି ହୋଇ

ବଡ଼ ମା ସାଥିରେ ସାଥୀଟେ ହୋଇ

ବିବାହ ସଂସାର ମୋର କି ଯାଏ ଆସେ

ପାଖେ ପାଖେ ଥାଏ ନୂଆ ଏ ଆବାସେ

ମା ମୋର ମୋତେ ପାଖେ ପାଇ ସଦା

ଜୀଇଁବାର ନବ ସାହସ ବାନ୍ଧେ।


ବିସ୍ଫାରିତ ନେତ୍ରେ କିମ୍ବା ଅଧା ଆଖି ବୁଝି 

ଦେଖେ ପ୍ରଣୟର ମଧୁର ଚିତ୍ର

କେତେ ଗୋଳମାଳ ପୁଣି ମନ ମେଳ

ରୋଷେଇ ଘରଠୁ ଗୁହାଳ ପର୍ଯ୍ୟନ୍ତ

ବୁଲି ଦେଖୁଥାଏ ସଂସାରର ସବୁ ଚିତ୍ର ଚରିତ୍ର। 


ସଞ୍ଜ ହେଉ ହେଉ ଜଳି ଉଠୁଥିଲି

ଦୁରେଇ ଦେବାକୁ ଶର୍ବରୀର

ଘନ କୃଷ୍ଣ ମେଖଳା

କିନ୍ତୁ ଏଇ ଛାତ ତଳେ ମଣିଷମାନଙ୍କ 

ମନତଳେ ଯେଉଁ 

ଘୋର ତମିସ୍ରାର ବିଭତ୍ସ ଛାୟା

ପାରିନଥିଲି ମୋ ସ୍ୱଳ୍ପ ମୟୁଖେ

ଆଲୋକେ ଭରି।


ମୁଁ ଜଳୁଥାଏ କାଚ ବନ୍ଦୀ ଘରେ

ସରି ସରି ଯାଏ ସଳିତା ମୋର

ମାଆଟି ମୋହର ଜଳୁଥାଏ ଦେଖେ

ଦାୟିତ୍ୱର ଦୃଢ଼ ପଞ୍ଜୁରୀ ଭିତରେ

ପଣତକୁ ନିତି ଭିଜାଇ ତାର,

ସେ ବି ଜଳୁଛି ଅନ୍ତରେ ଅନ୍ତରେ

ଜରାଗ୍ରସ୍ତ ତାର ଅବସନ୍ନ ଶରୀରେ

ସରି ଆସିଲାଣି ଜୀବନ ସଳିତା

ମୋ ପରି ଅଲୋଡ଼ା ଆଜି ଏ ଘରେ।


ଆଧୁନିକତାର ରୌଦ୍ରତାପରେ

ହଜିଯାଇଛି ମୋ ଝାପ୍ସା ଆଲୁଅର ଧାସ

ମୁଁ ଆଜି ଅଚିହ୍ନା ଏବେକା ପିଢ଼ିକୁ

ପ୍ରାଚୀନତାର ଜୀବାଶ୍ମ ଭିତରେ

ହଜି ଯାଇଥିବା ସ୍ମୃତିଭିଜା ଝିନବାସ।


ଏଇ ଜରାଜୀର୍ଣ୍ଣ ଘରେ ଭୂପତିତ ଆଜି

ଜରାଗ୍ରସ୍ତ ଦୁଇ ସାଥି

ଶେଷ ବତୀଶିଖାର ପ୍ରତୀକ୍ଷାରେ ଦୁହେଁ

ଖୋଜୁଛୁ ଜୀବନ ଦୁହିଁଙ୍କ ଆଖିରେ

ସ୍ମୃତିର ଆଞ୍ଜୁଳେ ପ୍ରାଣକୁ ସାଉଁଟି ଧରି।



Rate this content
Log in

Similar oriya poem from Abstract