ଲୀଳା
ଲୀଳା
ଏକ ଆତ୍ମା ସେହି ସହସ୍ର ଭାଗରେ
ଆମ ମଧ୍ୟେ ବିଭାଜିତ
ଶାଶ୍ବତ,ଭାବୁକ, ସ୍ଵଭାବରେ ଶାନ୍ତ
ଅଟନ୍ତି ସିଏ ମହତ।
ନୀରବ ଦ୍ରଷ୍ଟା ସେ ନିରେଖି ଦେଖନ୍ତି
ଚକ୍ଷୁ ତାଙ୍କ ସୂର୍ଯ୍ୟ ଭଳି
କବିଟିଏ ସିଏ ,କବିତା ତାଙ୍କର
କେତେ ରହସ୍ୟ ର ଥଳୀ।
ସବୁ ଘଟଣାକୁ ଆରମ୍ଭରୁ ଶେଷ
କରନ୍ତି ସେ ଅନୁଧ୍ୟାନ
ଦୃଷ୍ଟି ଆଢ଼ୁଆଳୁ କିଛି ବି ଲୁଚେନା
ହେଉ ଯେତେ ବଡ଼,ସାନ।
ଖଣ୍ଡ,ବିଖଣ୍ଡିତ ଅଂଶ ସବୁ ଯୋଡ଼ି
ପରମ ଯତନ ନେଇ
ମାଧୁରିମା ଢାଳି ଦେଇ ନୂଆ ରୂପ
ତାକୁ ରଖନ୍ତି ସଜାଇ।
ନିୟତି ର ପକ୍ଷ ଭାର ସହେ ତାଙ୍କ
ଯାତ୍ରୀ ଦୁର୍ଗମ ପଥ ର
ପୃଥିବୀ ର ଦୁଃଖ,ସୁଖ, ମୃତ୍ୟୁ, ଜୟ
ସାଥିରେ କ୍ରୀଡା ତାଙ୍କର ।
ମହିମା ର ସିଏ ରାଜରାଜେଶ୍ୱର
ପ୍ରେମ ପାଶେ ଦାସ ପରି
ସାରା ଜଗତକୁ କେତେ ଶରଧା ରେ
ରଖିଛନ୍ତି ପରା ଧରି।
ପ୍ରକୃତିର ପାନ୍ଥଶାଳା ର ଅତିଥି
ପୃଷ୍ଠପୋଷକ ତାରା ଙ୍କ
ବିଶ୍ଵତ୍ମା ଉପରୁ ଥାଇ ଦେଖିଥାନ୍ତି
ନାଟକ ସବୁ ଜୀବଙ୍କ।
କରୁଥାନ୍ତି କେତେ ଲୀଳା ଏ ସଂସାରେ
ତାଙ୍କ ବିନା ଆମେ ନିଃସ୍ବ
ଛନ୍ଦମୟ ସୃଷ୍ଟି ହୋଇଛି ସମ୍ଭବ
ଝୁରେ ତାଙ୍କୁ ସାରା ବିଶ୍ବ।
ଏକ ଅଦ୍ୱିତୀୟ ତାଙ୍କ ଖେଳ ଘର
ରଚିଲେ ବାରିଧି,ରବି
ଖିଆଲ ତାଙ୍କର ଝଲସି ଦେଖାଏ
ଆମ ସତ୍ତାରେ ତା ' ଛବି।
