ପତିତପାବନ ବାନା
ପତିତପାବନ ବାନା
ପତିତପାବନ ବାନା ସଙ୍ଗେ ଯୋଡା
ପତିତ ଉଦ୍ଧାର କଥା
ବଡ଼ ଦାଣ୍ଡେ ପାଦ ପଡିବା ଆଗରୁ
ନେତ କହେ ତୁମ କଥା |
ସବୁ ସ୍ୱତନ୍ତ୍ରତା ମଧ୍ୟରେ ସ୍ୱତନ୍ତ୍ର
ତୁମର ଏ ପୁଣ୍ୟ ବାନା
ବହୁତ ଦୂରର ଭକତ ଙ୍କ ମନ
ଭାବେ କରେ ଆନମନା ।
ନିତି ପ୍ରତି ତୁମ ନୀଳଚ଼କ୍ର ମୁଣ୍ଡେ
ନୂତନ ବାନା ଯେ ଗଢ଼ା
ଚୁନରା ସେବକ ବାନା ଯେ ଅଣ୍ଟାରେ
ଚ଼ଢ଼େ ଶ୍ରୀମନ୍ଦିର ଚୂଡା |
ଉଣେଇଶ ଫୁଟ ବାଉଁଶ ସଙ୍ଗତେ
ବାରହାତ ବାନା ନେଇ
ଜଗନ୍ନାଥ ତୁମ ନାମ କୁ ଯେ ସ୍ମରି
ମନ୍ଦିର ଯେ ଚଢ଼ିଥାଇ ।
ନାଲି,ହଳଦିଆ ବାରହାତି ବାନା
ଉଡେ ଫର ଫର ହୋଇ
ଶ୍ଵେତ ଚନ୍ଦ୍ରବିନ୍ଦୁ ମଧ୍ୟେ ଶୋଭାପାଏ
ଦିଏ ଭକ୍ତ ମନ ମୋହି ।
ପତିତ ପାବନ ଉଡ଼େ ଫର ଫର
ପତିତ ଉଦ୍ଧାର ପାଇଁ
ସାଗର ବେଳାର ଦକ୍ଷିଣ ପବନେ
ଉଡ଼ି ଡାକେ ଆସ ଭାଇ
।
ଗଠନରେ ତାର ଭରି ରହିଅଛି
ଜୀବନ ଜିଜ୍ଞାସା କଥା
ପତିତପାବନ ଉଚ୍ଚାରଣ କଲେ
କଟିଯାଏ ସବୁ ବ୍ୟଥା ।
ମନ୍ଦିର ଚୂଡ଼ାରେ ବାରହାତି ବାନା
କି କଥା କୁହେ କେଜାଣି
ପକ୍ଷୀ ଉଡ଼ନ୍ତିନି ତାର ସମୀପରେ
ଏ ପରା ନୀତିର ଖଣି |
ଧନ୍ୟ ତୁମ ଦାଣ୍ଡ ବାଇଶି ପାହାଚ
ଧନ୍ୟ ସେ ନୀଳ କନ୍ଦର
ପତିତ ପାବନ ବାନା ଉଡାଉଛ
ତୁମେ ଭାବର ଠାକୁର ।
ତୁମରି ସେବକ ଚଢ଼େ ଭରସାରେ
ଶ୍ରୀମନ୍ଦିର ଚୂଡ଼ା କ୍ଷେତ୍ର
ମନେ ତା ନଥାଏ ଦ୍ୱନ୍ଦ ଭୟ କିଛି
ଭରସା ତା ବଡ଼ ମନ୍ତ୍ର |
ତୁମରି ନେତ ତ ବିଶ୍ଵ ଭାବନାକୁ
ନୂତନ ଦିଗନ୍ତ ଦିଏ
ଚାହିଁ ଦେଲେ ଥରେ ମନ ମୋହି ଯାଏ
ସନ୍ତାପ ଯେ ଦୂରହୁଏ ।
ପତିତପାବନ ହେ ଚ଼କନୟନ
ଦୀନବନ୍ଧୁ , ଦଇତାରୀ
ବିଶ୍ଵ ଭାବନାକୁ ନିଃସ୍ଵତା ବେଡ଼ିରୁ
ଉଦ୍ଧାର କର ମୁରାରୀ ।